ସ୍ଥଳଭାଗ ଅତିକ୍ରମ କଲା ଅବପାତ

0 49

ଭୁବନେଶ୍ୱର, ବଙ୍ଗୋପାସଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ଉତ୍ତର ବାଲେଶ୍ୱରରେ ବର୍ଷା ଅଧିକ ହେବାର ଆଶଙ୍କା ଥିବାରୁ ସରକାର ଓ ସ୍ଥାନୀୟ ପ୍ରଶାସନ ସଜାଗ ଅଛନ୍ତି । ଏହି ଚାରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ବାଲେଶ୍ୱରରେ ବର୍ଷା ଲାଗି ରହିଛି । ସେହିପରି ମୟୂରଭଞ୍ଜ ଓ ଭଦ୍ରକରେ ବର୍ଷା ଜାରି ରହିଛି । ବାଲେଶ୍ୱରକୁ ଦୁଇଟି ଏନ୍‌ଡିଆରଏଫ୍ ଓ ଦୁଇଟି ଓଡ୍ରାଫ୍ ଟିମ୍‌ ଯାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ଦିଘା ନିକଟରେ ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଏହା ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷାରେ ଉତ୍ତର ଓଡ଼ିଶାରେ ପ୍ରବାହିତ ନଦୀ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ସାଳନ୍ଦୀରେ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି । ତେବେ ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତ ବଡ଼ ଆଣୁଥିବାରୁ ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରାଯାଇଛି । ଆଲର୍ଟରେ ୪ ଜିଲ୍ଳା । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆଶଙ୍କା ରହିଛି । ବ୍ରାହ୍ମଣୀ ନଦୀ ଉପରେ ବି ରହିଛି ନଜର । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରର ବିଭିନ୍ନ ଡ୍ୟାମ୍‌ରୁ ଜଳ ଛଡ଼ାଯାଉଛି । ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ନିର୍ଭର କରୁଛି ଝାଡ଼ଖଣ୍ଡର ବର୍ଷା ଉପରେ । ଶିମିଳିପାଳରେ ବର୍ଷା ହେଲେ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହେବ । କେନ୍ଦୁଝର ଜିଲ୍ଲାରେ ବର୍ଷା ଉପରେ ନିର୍ଭର କରିବ ବୈତରଣୀରେ ବନ୍ୟା । ସାଳନ୍ଦୀ ସିଷ୍ଟମକୁ ଦୃଷ୍ଟିରେ ରଖି ଭଦ୍ରକ ସହର ଉପରେ ମଧ୍ୟ ନଜର ରଖାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଆସନ୍ନ ବର୍ଷାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ସେମାନେ ହେଡ୍‌କ୍ୱାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.