ଉପକୂଳରୁ ଛାଡ଼ୁଛି, ଉତ୍ତରରେ ବଢ଼ୁଛ

Torrential rain causing flood.
0 61

ଭୁବନେଶ୍ୱର,: ଉତ୍ତର ଝାଡ଼ଖଣ୍ଡ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଗଭୀର ଅବପାତ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରି ଏହି ଅବପାତ ଝାରସୁଗୁଡ଼ାଠାରୁ ୧୨୦ କିମି ଦୂରରେ ପୂର୍ବ-ଉତ୍ତରପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବ । ଧୀରେ ଧୀରେ ଏହା ଦୁର୍ବଳ ହେବା ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସକ୍ରିୟ ରହିଛି । ଏହା ପ୍ରଭାବରେ ୧୨ ଜିଲ୍ଲା ଯଥା- ଝାରସୁଗୁଡ଼ା ସୁନ୍ଦରଗଡ଼,କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧରେ ପ୍ରବଳ ବର୍ଷା ହେବ । ସେହିଭଳି ୬ ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ରହିବ । ମିଳିଥିବା ସୂଚନା ମୁତାବକ କାଲିଠାରୁ ବର୍ଷା କମିବ । କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ ଏବଂ ସର୍ବାଧିକ ୬୦ କିଲୋମିଟର ରହିବ । ଆଗାମୀ ୧୨ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂଭଞ୍ଜରେ ୩୦ରୁ ୪୦ କିଲୋମିଟର ଏବଂ ସର୍ବାଧିକ ୫୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୨୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ମହାନଦୀ ଅବବାହିକାରେ ବନ୍ୟାଜଳ କମୁଥିବା ବେଳେ ଉତ୍ତର ଓଡ଼ିଶା ନଦୀ ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବଢ଼ୁଛି । ମଥାନିଠାରେ ଜଳକା ନଦୀର ବିପଦ ୫.୫୦ ମିଟର ଥିବାବେଳେ ଏହା ୧ ମିଟର ଉପରେ ପ୍ରବାହିତ ହେଉଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ଏହାର ଶାଖାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହେତୁ ବାରିପଦା ସହରରେ ପଶିଛି ପାଣି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ତେବେ ଉତ୍ତର ଓଡ଼ିଶାର ସମସ୍ତ ନଦୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି ଏସ୍‌ଆରସି ।

Leave A Reply

Your email address will not be published.