ବନ୍ୟା ସାଙ୍ଗକୁ ଅହରହ ବର୍ଷା ପ୍ରାକୃତିକ ଦୁର୍ବିପାକ ସହ ଜୀବନ ବିତାଉଛନ୍ତି ବିପନ୍ନ

0 64

ଭୁବନେଶ୍ୱର, : ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା । ଗାଁ ଗାଁରେ ଏବେ ବି ପାଣିର ସୁଅ ଚାଲିଛି । ଶହ ଶହ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ବନ୍ୟା ସାଙ୍ଗକୁ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି । କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛି ପାଣି କମିବାକୁ । ଅସହାୟ ଅବସ୍ଥାରେ ପଡିରହିଛନ୍ତି ହଜାର ହଜାର ବିପନ୍ନ । ନା ପାଖରେ ଖାଇବାକୁ ଅଛି, ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି । ଏଭଳି ସ୍ଥିତିରେ ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । ଗତକାଲି ସକାଳେ ଗଭୀର ଅବପାତରେ ପରିଣତ ହୋଇଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି । ବାରିପଦାଠାରୁ ଏହା ୩୦ କିମି ଦୂର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଂଜ ସମେତ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାଲେଶ୍ୱରକୁ ୨ଟି ଏନ୍‌ଡିଆରଏଫ୍ ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ବାଲେଶ୍ୱରରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି । ଲଗାଣ ବର୍ଷା ଯୋଗୁ ବାଲିଆ-ନୂଆସାହି ରାସ୍ତାରେ ୧ ଫୁଟର ପାଣି ପ୍ରବାହିତ ହେଉଛି । ରାସ୍ତା ବୁଡ଼ିବା ଯୋଗୁଁ ରେମୁଣା-ବାରିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଯଶୀପୁର-ଶିମିଳିପାଳ ରାସ୍ତାରେ ଥିବା ପୋଲ ବୁଡ଼ିଯାଇଛି । ଗଡ଼ତଳସାହି ନିକଟ ଖଇରିଭଣ୍ଡନ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ପୋଲ ବୁଡ଼ିଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁରୁଡ଼ିଆ, ଅସ୍ତକଅଁର, ଧଳାବଣି ଓ ବରେଇପାଣି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୧.୦୨ ଫୁଟ୍ ରହିଛି । ଡ୍ୟାମକୁ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ପାଣି । ମୁଣ୍ଡଳିରେ ପାସ୍ କରୁଛି ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ । ବରମୂଳରେ ୭ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି । ଖଇରମାଳରେ ୫ ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି । ବର୍ଷା କମିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଏସ୍‌ଆରସି ।

Leave A Reply

Your email address will not be published.