ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା ଛତିଶଗଡ଼ ପରେ ଦୁଃଖ ଦେଲା ଝାଡ଼ଖଣ୍ଡ

0 81

ଭୁବନେଶ୍ୱର, ୨୧ା୮(ଡିକେ ନ୍ୟୁଜ): ଛତିଶଗଡ଼ ପରେ ଓଡ଼ିଶା ପାଇଁ ବିପଦ ଆଣୁଛି ଝାଡ଼ଖଣ୍ଡ । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହ ବ୍ୟାରେଜ୍‌ର ୧୬ଟି ଗେଟ୍ ଖୋଲିଛି । ଫଳରେ ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା । ଝାଡ଼ଖଣ୍ଡରୁ ୬ଲକ୍ଷ କ୍ୟୁସେକ୍ ବନ୍ୟା ପାଣି ଆସୁଥିବାରୁ ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ଦେଖାଦେବ । ଏଥିରେ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନ, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ଭୋଗରାଇ, ଜଳେଶ୍ୱର ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ । ୨୦୦୮ ପରେ ବଡ଼ ବନ୍ୟା ସୁବର୍ଣ୍ଣରେଖା ଅବବାହିକାରେ ହେବାକୁ ଯାଉଛି । ପିକ୍ ଫ୍ଲଡ୍‌ର ପ୍ରଭାବ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ବୋଲି ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ରାଜଘାଟଠାରେ କ୍ରମାଗତ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର । ବିପଦ ସଂକେତରୁ ବହୁ ଊର୍ଦ୍ଧ୍ୱରେ ବହୁଛି । ସୁବର୍ଣ୍ଣରେଖା ବନ୍ୟାରେ ମୟୂରଭଞ୍ଜ ଜିଲ୍ଲାର ୪ଟି ବ୍ଲକ୍ ପ୍ରଭାବିତ ହେବ । ମୟୂରଭଞ୍ଜ ଜିଲ୍ଲାର ସରସକଣା ଓ ରାସଗୋବିନ୍ଦପୁର ବ୍ଲକ୍ ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ସୁବର୍ଣ୍ଣରେଖାର ପାଣି ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ପଶିଲାଣି । ସେହିପରି ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବି ବଢ଼ୁଛି । ନଦୀଗୁଡ଼ିକର ଉଗ୍ରରୂପ ଦେଖି ଆତଙ୍କିତ ହୋଇପଡ଼ିଲେଣି ନଦୀକୂଳିଆବାସୀ । ଉତ୍ତର ବାଲେଶ୍ୱରକୁ ପୁଣି ଘନେଇଛି ବନ୍ୟା ବିପତ୍ତି । ଭୋଗରାଇର ୩୦ ପଞ୍ଚାୟତ, ବାଲିଆପାଳର ୨୦ ଓ ଜଳେଶ୍ୱରର ୧୫ ପଞ୍ଚାୟତ ପ୍ରଭାବିତ ହେବ । ବାଲେଶ୍ୱର ଜିଲ୍ଲାକୁ ଦୁଇଟି ଓଡ୍ରାଫ, ୮ଟି ଅଗ୍ନିଶମ ବାହିନୀ, ଦୁଇଟି ଏନ୍‌ଡିଆରଏଫ୍ ଓ ୨୧ଟି ରେସ୍‌ପନ୍ସ ଟିମ୍ ପଠାଯାଇଛି । ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ସମ୍ଭାବନା ଥିବାରୁ ଜରୁରି ପରିସ୍ଥିତିର ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା ଦିଆଯାଇଛି । ପୂର୍ବରୁ ଲଗାଣବର୍ଷାରେ ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଫୁଲିଥିଲା । ଏବେ ଉପରମୁଣ୍ଡରେ ଝାଡ଼ଖଣ୍ଡ ଓ ଶିମିଳିପାଳରେ ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ପରେ ଏସବୁ ନଦୀ ଫୁଲିବାରେ ଲାଗିଛି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.