ଯାଇନି ପ୍ରଥମ ବନ୍ୟାର ଦୁଃଖ: ଆସିଲାଣି ଆଉ ଗୋଟିଏ ବୁଡ଼ାଇଲାଣି ବୈତରଣୀର ଦ୍ୱିତୀୟ ବନ୍ୟା

0 67

ଭୁବନେଶ୍ୱର, ୨୧ା୮ (ଡିକେ ନ୍ୟୁଜ୍‌): ପ୍ରଥମ ବନ୍ୟାର ଦୁଃଖ ସରିନି, ପୁଣି ଆସିଲାଣି ଆଉ ଗୋଟିଏ ବନ୍ୟା । ବୈତରଣୀର ଦ୍ୱିତୀୟ ବନ୍ୟା ଏବେ ବୁଡ଼ାଇଲାଣି ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀର ବନ୍ୟା ଯୋଗୁ ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଗାଁ ଏବେ ଜଳବନ୍ଦୀ । ପାଣି ନ ଛାଡୁଣୁ ପୁଣି ମାଡ଼ି ଆସିଛି ବୈତରଣୀ ପାଣି । ଯାହା ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ବୈତରଣୀ ନଦୀ ବିପଦସଙ୍କେତ ସ୍ତର ଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି । ରବିବାର ଅପରାହ୍ନ ୫ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୮.୯୬ ମିଟର ରହିଛି । ଗତ ସପ୍ତାହରେ ହୋଇଥିବା ପ୍ରଥମ ବନ୍ୟାରେ ଆଖୁଆପଦା ଠାରେ ରେକର୍ଡ ହୋଇଥିବା ସର୍ବାଧିକ ଜଳସ୍ତର ୧୮.୭୫ ମିଟରକୁ ଅତିକ୍ରମ କରିଛି । ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର ସର୍ବାଧିକ ୧୮.୯୯ ମିଟରରେ ପହଞ୍ôଚ ସ୍ଥିର ହୋଇଥିଲା । ଅପରାହ୍ନ ୪ଟାରେ ଜଳସ୍ତର ହ୍ରାସ ପାଇଥିଲା । ଘଣ୍ଟାପ୍ରତି ୩ ମି.ମି. ବେଗରେ ହ୍ରାସ ପାଇ ୫ଟାରେ ୧୮.୯୬ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଚମ୍ପୁଆରେ ୩୭.୨ ମି.ମି., ଠାକୁରମୁଣ୍ଡାରେ ୫.୮ ମି.ମି., ସ୍ୱାମୀପାଟଣାରେ ୭.୮ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ କେଉଁଝର, ଆନନ୍ଦପୁର ଓ ଆଖୁଆପଦାରେ ବର୍ଷା ହୋଇନଥିବା ଜଣାଯାଇଛି । ବନ୍ୟା ଯୋଗୁଁ କଣ୍ଟିଘାଇରେ ୮ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବେଶ କରି ବହୁ ଗ୍ରାମକୁ ବୁଡାଇଦେଇଛି । ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତ ସମ୍ପୁର୍ଣ୍ଣ ଭାବେ ଜଳବନ୍ଦୀ ହୋଇଛି । ଏହି ସବୁ ପଞ୍ଚାୟତର ମଣିନାଥପୁର, ବିନ୍ଧାଣ, ବରାହନୂଆପଡା, ଷୋଳମପୁର, ବିରୋଳି, ମୁଢ଼ାପଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ଜାନଗଡିଆ, ମହିଷାଗଡିଆ, ବଡମାଳଦା, ସାନମାଳଦା, ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ, ବାଙ୍କମୂହାଁ, ଗିଲପଦୀ, ଦେଉଳପଦୀ, ରାଢୋ, ନୌରଙ୍ଗପୁର, ରହଣିଆ, କେଶପୁର, ଷଠଗାଁ, ବନ୍ଦାଳୋ, ମଢ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମର ୩୧ହଜାର ଲୋକ ଓ ୭,୫୦୦ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି । ଏହି ସମସ୍ତ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ମଧ୍ୟ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହି ଋଆ ଧାନ ଓ ଧାନତଳିକୁ ନଷ୍ଟ କରିପକାଇଛି । ବନ୍ୟା ଜଳ ପ୍ଳାବିତ ହେବା ଯୋଗୁଁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଯାତାୟତ ଠପ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାପ୍ରବଣ ଅଞ୍ଚଳ ଗସ୍ତ କରିବା ସହ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିବା ଜଣାଯାଇଛି । ବନ୍ଦାଳୋ-ମଢିଆଳି ସରପଞ୍ଚ ବିଶ୍ୱନାଥ ସାହୁ ଜିଲ୍ଲାପାଳଙ୍କୁ ବନ୍ୟାବସ୍ଥା ସମ୍ପର୍କରେ ସୂଚୀତ କରିଛନ୍ତି । ବିଜେପି ନେତା ବଦ୍ରୀନାରାୟଣ ଧଳ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ରିଲିଫ ପ୍ରଦାନ ପାଇଁ ଦାବି କରିଛନ୍ତି । ଯାଜପୁର ଜିଲ୍ଲାରେ ମଧ୍ୟ ବୈତରଣୀ ପାଣି ତାଣ୍ଡବ ରଚିଲାଣି । ବୈତରଣୀର ଶାଖା ନଦୀ କାଣୀ ନଦୀର ବ୍ରହ୍ମଚାରୀପାଟଣାଠାରେ ମରାମତି ହୋଇଥିବା ଘାଇ ସ୍ଥାନରେ ପୁଣି ଆଉ ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ଦଶରଥପୁର ବ୍ଲକ୍ ହସପା, ମଲ୍ଲିକାପୁର ଆଦି ୧୦ଟି ପଞ୍ଚାୟତର ୧୦୦ରୁ ଅଧିକ ଗାଁରେ ବନ୍ୟା ଜଳ ପଶିଛି । ପ୍ରଥମ ବନ୍ୟାର ଦୁଃଖ ଯାଇନି, ପୁଣି ଦ୍ୱିତୀୟଥର ବନ୍ୟାର ସାମ୍ନା କଲେଣି ଘାଇ ଅଞ୍ଚଳବାସୀ । ବୈତରଣୀର ଦ୍ୱିତୀୟ ବନ୍ୟାରେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପ୍ରଭାବିତ ହୋଇଛି ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ୍ । କେନ୍ଦୁଝର ଜିଲ୍ଲାର ହାଟହିହି ବ୍ଲକ୍‌ର ଆଇତିପୁର, ସମଣା ଏପରି ୭ଟି ପଞ୍ଚାୟତରେ ମଧ୍ୟ ପ୍ରବାହିତ ହୋଇଛି ।

Leave A Reply

Your email address will not be published.