୧୩ ଜିଲ୍ଲାରେ ବନ୍ୟା: ୬.୪୦ଲକ୍ଷ ଲୋକ ଜଳବନ୍ଦୀ କମିଲା ଜଳସ୍ତର: ଟଳିନି ବିପଦ

0 64

ଭୁବନେଶ୍ୱର, ୨୨ା୮ (ଡିକେ ନ୍ୟୁଜ୍‌): ସୁବର୍ଣ୍ଣରେଖାରେ ଜଳସ୍ତର କମୁଥିଲେ ହେଁ ବିପଦ ଏଯାଏ ଟଳିନାହିଁ । ବଡ଼ ବନ୍ୟାର ଯେଉଁ ଆଶଙ୍କା କରାଯାଇଥିଲା, ତାହା ଟଳିଯାଇଥିଲେ ହେଁ ବିପନ୍ନଙ୍କୁ ଦୁର୍ଦ୍ଦଶା କିନ୍ତୁ ବଢ଼ିଯାଇଛି । ଆଜି ମଧ୍ୟାହ୍ନରେ ପିକ୍ ଫ୍ଲଡ୍‌ ଅତିକ୍ରମ କରିସାରିଛି । ରାଜଘାଟରେ ଦୀର୍ଘସମୟ ଧରି ସୁବର୍ଣ୍ଣରେଖାର ଜଳସ୍ତର ୧୧.୯୦ ମିଟର ରହିବା ପରେ ପାଣି ଧୀରେ ଧୀରେ କମିବାରେ ଲାଗିଛି । ବନ୍ୟା ପାଣି କମିଥିଲେ ହେଁ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍‌ବାସୀ ଏବେ ପାଣି ଘେରରେ ଅଛନ୍ତି । ଅନ୍ୟପକ୍ଷରେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୩ ଜିଲ୍ଲାର ୭୮ ବ୍ଲକ୍‌ ଅନ୍ତର୍ଗତ ୬୪୫ ପଞ୍ଚାୟତର ୨୪୮୯ ଗାଁ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଏଥିରୁ ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରୁ ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିଛି । ତଥାପି ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବହୁଛି ୪ରୁ ୫ ଫୁଟ୍ ପାଣି । ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ବହୁ ଗାଁ । ବାଲେଶ୍ୱର ଜିଲ୍ଲାର ଅନେକ ପଞ୍ଚାୟତରେ ପଶିଛି ବନ୍ୟା ପାଣି । ବହୁ ଧନସମ୍ପତ୍ତି ନଷ୍ଟ ହେବା ସହିତ ଏକର ଏକର ଚାଷଜମି ଜଳମଗ୍ନ ହୋଇଛି । ଚାଷଜମି ଓ ଜନବସତି ସବୁ ଏକାକାର ହୋଇଯାଇଛି । ଯୁଆଡେ ଚାହିଁଲ ଖାଲି ପାଣି ହିଁ ପାଣି ଦେଖାଯାଉଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନ୍‌ଡିଆରଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୪୦ ଟିମ୍ । ବନ୍ୟାରେ ଏହି ୪ ବ୍ଲକ୍‌ର ୭୪ ପଞ୍ଚାୟତର ୧୪୭ ଗାଁ ପ୍ରଭାବିତ ହୋଇଛି । ୪୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆଉ ଦୁଇ ତିନିଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଲାଗି ରହିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଗାଲୁଡିହ ଡ୍ୟାମ୍‌ରୁ ପାଣି ନିଷ୍କାସନ ହ୍ରାସ ପାଉଛି । ରାଜଘାଟରେ ସେଣ୍ଟ୍ରାଲ ୱାଟର କମିଶନଙ୍କ ଟିମ୍ ପହଞ୍ôଚ ଜଳସ୍ତରର ତଦାରଖ କରୁଛନ୍ତି । ଦୁର୍ବଳ ନଦୀବନ୍ଧ ସ୍ଥାନଗୁଡ଼ିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ । ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ୨୦୮ଟି ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଛି । ମୟୂରଭଞ୍ଜ ଉପରୁ ଟଳୁଛି ସୁବର୍ଣ୍ଣରେଖାର ବନ୍ୟା ବିପଦ । ଗତକାଲି ରାତିରୁ କମିବାରେ ଲାଗିଛି ଜଳସ୍ତର । ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ୍‌ର ପ୍ରଭାବିତ ଅଞ୍ଚଳରୁ ପାଣି ଛାଡ଼ୁଛି । ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ପ୍ରଶାସନ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ଝାଡ଼ଖଣ୍ଡରୁ ଆସୁଥିବା ଜଳ ପରିମାଣ କମିବା ସହ ଓଡ଼ିଶାରେ ସୁବର୍ଣ୍ଣରେଖାର ଜଳସ୍ତର ଖସିଛି । ୮/୯ ଘଣ୍ଟା ଧରି ଜଳସ୍ତର ଉପରମୁହାଁ ହୋଇରହିବା ପରେ ମଧ୍ୟାହ୍ନ ୧୨ଟା ପରଠାରୁ ହ୍ରାସ ପାଇଛି । ତଳିଆ ଅଞ୍ଚଳରେ ଆଗାମୀ ଦୁଇ ତିନିଦିନ ବନ୍ୟା ଜଳ ରହିବ । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ସମେତ ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିଛି । ବଡ଼ ବନ୍ୟା ବିପଦ ଟଳିଥିବାରୁ ଆଶ୍ୱସ୍ତ ହୋଇଛନ୍ତି ଉତ୍ତର ଓଡ଼ିଶାର ପ୍ରଭାବିତ ଅଞ୍ଚଳବାସୀ । କିନ୍ତୁ ବନ୍ୟା ଭିତରେ ପୁଣି ଆଉ ଏକ ଲଘୁଚାପ ଆଶଙ୍କା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଆସନ୍ତା ଦୁଇଦିନ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିବା ପରେ ବିପନ୍ନଙ୍କ ଦୁର୍ଦ୍ଦଶା ପୁଣି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.