ବିପନ୍ନଙ୍କୁ ଡରାଉଛି ବନ୍ୟା ଭିତରେ ବର୍ଷା ବୁଡ଼ିଛି ଗାଁ: କଲବଲ ଜୀବନ

0 61

ଭୁବନେଶ୍ୱର, ୨୩ା୮(ଡିକେ ନ୍ୟୁଜ): ଧୀରେ ଧୀରେ ସୁଧୁରୁଛି ରାଜ୍ୟରେ ବନ୍ୟା ସ୍ଥିତି । ନଦୀରେ ଜଳସ୍ତର କମୁଥିଲେ ହେଁ ଜଳବନ୍ଦୀଙ୍କ ଦୁର୍ଦ୍ଦଶା କିନ୍ତୁ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲାର ଜୀବନରେଖ କୁହାଯାଉଥିବା ସୁବର୍ଣ୍ଣରେଖା କରଳା ରୂପ ନେଇ ଆସିଥିଲା । ଆଉ ୨୨ ତାରିଖ ଅପରାହ୍ନ ବେଳକୁ ଶାନ୍ତ ପଡ଼ିଥିଲା । ୨୦୦୮ ପରେ ଏହା ଥିଲା ଦ୍ୱିତୀୟ ବୃହତ୍‌ ବନ୍ୟା । ଏବେ ବି ଅନେକ ଅଞ୍ଚଳ ଜଳମଗ୍ନ ଓ ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତାର ବହୁ ଅଞ୍ଚଳ ଏବେ ବି ବନ୍ୟାରେ ପ୍ରଭାବିତ । ୨୦୦ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ୪୦ହଜାର ଲୋକଙ୍କୁ ଅଣାଯାଇ ୨୧୩ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ବୈତରଣୀ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ୁଛି । ଯାଜପୁର ଏବଂ ଦଶରଥପୁର ବ୍ଲକ୍‌ର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି । କାଣୀ ନଦୀର ଘାଇ ଯୋଗୁ ଦଶରଥପୁର ବ୍ଲକ୍‌ର ୧୦ ପଞ୍ଚାୟତର ୧୦୦ରୁ ଅଧିକ ଗାଁରେ ପାଣି ପଶିଛି । ଭାଙ୍ଗି ଯାଇଥିବା ଘରକୁ ସଜାଡିବାରେ ଲାଗିପଡ଼ିଛନ୍ତି ବିପନ୍ନ । ହଜାର ହଜାର ଏକର ଚାଷଜମି ଉଜୁଡ଼ି ଯାଇଛି । ମହାନଦୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କଣାସରେ କିନ୍ତୁ ସ୍ଥିତି ସ୍ୱାଭାବିକ ରହିଛି । ଏହା ଭିତରେ ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପାଇଁ ୪ ଜିଲ୍ଲାରେ ପୁଣି ଲଗାଣ ବର୍ଷା । ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଂଜ ଜିଲ୍ଲାରେ ଅରେଂଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ମାଟିରାସ୍ତା, ଚାଳଘର ପ୍ରଭାବିତ ହେବାର ସମ୍ଭାବନା । ଏହାସହ ମାଟିକାନ୍ଥ ପଡିବାର ବି ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସମେତ ଚାଷଜମି ଜଳମଗ୍ନ ହେବ । ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇାବାର ସମ୍ଭାବନା ରହିଛି । ଯେଉଁ ୪ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ସେଠାରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିପରି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ୭-୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଅଛି । ଦୁଇ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର ଓ କଟକରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟ୍ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଜାରି ହୋଇଛି । ଉତ୍ତର ଓଡ଼ିଶାର ସମସ୍ତ ୧୫ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ସେପ୍ଟେମ୍ବର ୧ରୁ ୩ ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା କମିନଥିବା ବେଳେ ଆଉ ଏକ ବର୍ଷାକୁ ନେଇ ଚିନ୍ତାରେ ବଢିଯାଇଛି ।

Leave A Reply

Your email address will not be published.