କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ନଜର

0 96

ଭୁବନେଶ୍ୱର, ୨୩ା୮ (ଡିକେ ନ୍ୟୁଜ୍‌): ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ? ତା’କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଛି । ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ସଚିବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଯାଉଛି । ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇପାରନ୍ତି । ଓଇଆରସି ଅଧ୍ୟକ୍ଷ ପଦବୀରୁ ଉପେନ୍ଦ୍ର ନାଥ ବେହେରା ଅବସର ନେବା ପରେ ଏହା ଖାଲି ପଡ଼ିଛି । ଅନ୍ୟପକ୍ଷରେ ଶ୍ରୀ ମହାପାତ୍ର ପୂର୍ବରୁ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କୁ ଏ ପଦବୀରେ ନିଯୁକ୍ତି ଦେଇପାରନ୍ତି । ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି ୧୯୮୯ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା । ଶ୍ରୀ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଶ୍ରୀ ଜେନା ଏବେ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ଯାଏ ରହିଛି । ପୂର୍ବରୁ ସେ କଳାହାଣ୍ଡି, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ରେ ସେ କଟକ ଜିଲ୍ଲାପାଳ ଥିବାବେଳେ ମହାବାତ୍ୟା ପରବର୍ତ୍ତୀ ପରିଚାଳନାକୁ ସଫଳତାର ସହ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ସେ ଶକ୍ତି, ପଞ୍ଚାୟତିରାଜ, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି । ଏହାଛଡ଼ା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ବନ୍ୟା ଓ ବାତ୍ୟା ସମୟରେ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରଖି ବିପର୍ଯ୍ୟୟ ପରିଚାଳନା କରି ପ୍ରଶଂସା ସାଉଁଟିଛନ୍ତି । କେବଳ ସେତିକି ନୁହେଁ, କୋଭିଡ୍ ମହାମାରୀ ମୁକାବିଲାରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ନିକଟରେ ହୋଇଥିବା ବନ୍ୟାକୁ ସଠିକ୍‌ ଢଙ୍ଗରେ ଅତ୍ୟନ୍ତ ପ୍ରଭାବୀ ଓ ସୁବ୍ୟବସ୍ଥିତ ଭାବେ ପରିଚାଳନା କରି ଏକ ବଡ଼ ବିପଦକୁ ସେ ଏଡାଇ ପାରିଛନ୍ତି । ଶ୍ରୀ ଜେନାଙ୍କ ପରେ ବରିଷ୍ଠତା ଭିତରେ ମୁଖ୍ୟ ସଚିବ ପଦବୀ ପାଇଁ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ, ରାଜକୁମାର ଶର୍ମା, ରାଜେଶ ବର୍ମା, ସି.ଜେ.ବେନୁଗୋପାଳଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍ମ୍ୟା ନେଜମେଣ୍ଟ(ଡିଆଇପିଏମ୍‌) ସଚିବ ଭାବେ କାର୍ଯ୍ୟରତ । ତାଙ୍କର କାର୍ଯ୍ୟକାଳ ୨୦୨୫ ଜୁଲାଇରେ ଶେଷ ହେଉଛି । ସେ ଏବେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଥିବାରୁ ଡେପୁଟେସନ୍‌ରୁ ଫେରିନପାରନ୍ତି । ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ସୁନ୍ଦରାୟ ମଧ୍ୟ କେନ୍ଦ୍ରୀୟ ଡେପୁଟେସନ୍‌ରେ । ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜକୁମାର ବର୍ମା ଏବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ । ବ୍ୟକ୍ତିଗତ କାରଣରୁ ସେ ଛୁଟିରେ ଅଛନ୍ତି । ୧୯୮୭ ବ୍ୟାଚ୍‌ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ମଧ୍ୟ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ସେ ଓଡ଼ିଶା ଫେରିବା ସମ୍ଭାବନା କମ୍ । କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସି.ଜେ.ବେନୁଗୋପାଳ । ତାଙ୍କ ନାଁକୁ ନେଇ ମଧ୍ୟ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.