ଆତଙ୍କବାଦ ବଢ଼ାଉଛି ମୋବାଇଲ୍ ଆପ୍‌

0 70

ନୂଆଦିଲ୍ଲୀ, ୨୪ା୮ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ଆତଙ୍କବାଦୀମାନେ ଦେଶରେ ଏକ ନୂତନ ହାଇଟେକ୍ ନେଟୱାର୍କ ସ୍ଥାପନ କରିଛନ୍ତି । ଏହା ମାଧ୍ୟମରେ ଉଭୟ ଆତଙ୍କବାଦୀ ସଂଗଠନ (ଆଇଏସ୍‌ଆଇଏସ୍‌) ଏବଂ ଅଲ୍‌କାଏଦା ମିଳିତ ଭାବେ ସ୍ଲିପରସେଲ୍ ପ୍ରସ୍ତୁତ କରୁଛନ୍ତି । ଏହି
ଆତଙ୍କବାଦୀ ସଂଗଠନ ଗୁଡିକ ଏଥିପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଉଛନ୍ତି । ଯୋଗାଯୋଗ ପରେ ସେମାନେ ଆପ୍‌କୁ ଡିଲିଟ୍‌ କରିଦିଅନ୍ତି । ଯଦ୍ୱାରା ସେମାନେ ସହଜରେ
ଧରାପଡିବେ ନାହିଁ । ତେବେ ନିକଟରେ ସୋଶିଆଲ୍ ମିଡିଆ ଚାଟ୍ ମାଧ୍ୟମରେ ଏହି ଆତଙ୍କବାଦୀ ଗୋଷ୍ଠୀକୁ ଖୋଜିବାରେ ଏନ୍‌ଆଇଏ ସଫଳତା ହାସଲ କରିଛି । ଏନ୍‌ଆଇଏ ଜାଣିବାକୁ ପାଇଛି ଯେ, ଏହି ଆତଙ୍କବାଦୀ ସଂଗଠନ ଯୋଗାଯୋଗ ପରେ ଆପ୍‌ରୁ ସମସ୍ତ ଡିଜିଟାଲ ତଥ୍ୟ ଡିଲିଟ୍‌ କରିଦିଅନ୍ତି । ପରେ ଯୋଗାଯୋଗ ପାଇଁ ଅନ୍ୟ ଏକ ନୂତନ ଆପ୍ ବିକଶିତ କରନ୍ତି । ଦେଶରେ ଅନେକ ରାଜ୍ୟରେ ଆଇଏସ୍ ଏବଂ ଅଲ୍‌କାଏଦା ସକ୍ରିୟ ଥିବା ସୂଚନା ପାଇଛି ଏନ୍‌ଆଇଏ । ଦେଶର ୧୦ଟି ରାଜ୍ୟରେ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛି । ନିକଟ ଅତୀତରେ ସେମାନଙ୍କୁ ଖୋଜିବା ପାଇଁ ଏନ୍‌ଆଇଏ ଅନେକ ଗୁଇନ୍ଦା କାର୍ଯ୍ୟାନୁଷ୍ଠାନ ନେଉଥିଲେ ହେଁ ଏପର୍ଯ୍ୟନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି କୌଣସି ସଫଳତା ପାଇପାରି ନାହିଁ । ୭ଟି ରାଜ୍ୟରେ ୧୪ଟି ସହରରେ ମଧ୍ୟ ଆଇଏସ୍‌ଆଇଏସ୍ ଏବଂ ଅଲ୍‌କାଏଦା ସଂଗଠନ ଗୁଡିକୁ ଚିହ୍ନଟ କରିବା ପାଇଁ ଏନ୍‌ଆଇଏ ଦ୍ୱାରା ଚଢ଼ାଉ କରାଯାଇଥିଲା । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ପ୍ରଥମେ ସୋଶିଆଲ୍ ମିଡିଆରେ ଘୃଣା-ପ୍ରଚାର ଏବଂ ଧାର୍ମିକ ଭାବନା ପୋଷ୍ଟ କରନ୍ତି । ତା’ପରେ ଯେଉଁମାନେ ଏଭଳି ପୋଷ୍ଟକୁ ପସନ୍ଦ କରନ୍ତି ତାଙ୍କୁ ଫଲୋ କରିବା ସହିତ ଏହି ଯୁବବର୍ଗଙ୍କୁ ସଂଗଠନ ସହିତ ମିଶିବା ପାଇଁ ସେମାନଙ୍କ ବ୍ରେନ୍ ୱାସ୍ କରିଥାନ୍ତି ।

Leave A Reply

Your email address will not be published.