ଗହମ ପରେ ବଢ଼ିଲା ରିଟେଲ ଚାଉଳ ଦର

0 64

ନୂଆଦିଲ୍ଲୀ ୨୪ ।୮: ଜନତାଙ୍କୁ ଲଗାତାର ମହଙ୍ଗା ମାଡ଼ ପଡୁଛି । ଏବେ ଲୋକଙ୍କ ଭାତ ଥାଳି ମହଙ୍ଗା ହେବ । ସପ୍ଲାଇ ସମ୍ପର୍କିତ ଚିନ୍ତାରେ ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । ଗତବର୍ଷର ସମାନ ଅବଧି ତୁଳନାରେ ଚାଉଳର ଅଲ ଇଣ୍ଡିଆ ଏଭରେଜ ରିଟେଲ ମୂଲ୍ୟରେ ୬.୩୧ ପ୍ରତିଶତ ମୂଲ୍ୟ ବୃଦ୍ଧି ସହ କେଜି ପିଛା ଦର ୩୭ଟଙ୍କା ୭୦ ପଇସାକୁ ପହଞ୍ଚିଛି । ଚାଉଳର ଦର ନିର୍ଦ୍ଧାରଣ ଜାରି ଖରିଫ ଋତୁର ଧାନ ବୁଣା ଉପରେ ନିର୍ଭର କରେ । ଅନିୟମିତ ମୌସୁମୀ ଯୋଗୁ ଚାଷ ହ୍ରାସ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି । ଗତ ସପ୍ତାହ ଶେଷ ସୁଦ୍ଧା ୮.୨୫ ପ୍ରତିଶତ ଧାନବୁଣା ହ୍ରାସ ହୋଇଛି । ଏଣୁ ଦେଶରେ ଚାଉଳ ଉତ୍ପାଦନର ସମ୍ଭାବିତ ହ୍ରାସ ଖବର ଯୋଗୁ ଚାଉଳ ମୂଲ୍ୟ ବୃଦ୍ଧି ହୋଇଛି । ୨୦୨୨-୨୩ ଖରିଫରେ ଧାନବୁଣା ରକବା ଅନୁସାରେ ୧୧.୨ କୋଟି ଟନ ନିର୍ଦ୍ଧାରିତ ଚାଉଳ ଉତ୍ପାଦନ ଲକ୍ଷ୍ୟ ହାସଲ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏଣୁ ନିର୍ଦ୍ଧାରିତ ଲକ୍ଷରୁ କମ୍ ଚାଉଳ ଉତ୍ପାଦନ ଆଶଙ୍କାରେ ମୂଲ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର କୃଷିମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଗତ ଅଗଷ୍ଟ ୧୮
ତାରିଖ ସୁଦ୍ଧା ୩୪୩.୭୦ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ଯାଇଛି । ଯାହା ଗତବର୍ଷ ଏହି ସମୟ ସୁଦ୍ଧା ୩୭୪.୬୩ ଲକ୍ଷ ହେକ୍ଟରରେ ଚାଷ ହୋଇଥିଲା । ମୌସୁମୀ ବର୍ଷା ହ୍ରାସ ଯୋଗୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସମେତ ଧାନ ଚାଷ ହେଉଥିବା ରାଜ୍ୟମାନଙ୍କର କମ୍ ଜମିରେ ଧାନ ଚାଷ ହୋଇଥିବାର ସୂଚନା ମିଳିଛି । ଦେଶରେ ଧାନ ମୁଖ୍ୟ ଖରିଫ ଫସଲ, ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସହ ଜୁନ ମାସରୁ ବୁଣା ଆରମ୍ଭ ହୋଇଥାଏ । ଦେଶର ୮୦ ପ୍ରତିଶତ ଚାଉଳ ଖରିଫ ଚାଷରୁ ମିଳିଥାଏ । ତେବେ ଦେଶରେ ରିଟେଲ ଚାଉଳ ମୂଲ୍ୟ ବୃଦ୍ଧି ଗହମ ଭଳି ନୁହେଁ ବୋଲି କୁହାଯାଇଛି । କାରଣ କେନ୍ଦ୍ର ସରକାରଙ୍କ ନିକଟରେ ଚାଉଳର ବିଶାଳ ଭଣ୍ଡାର ରହିଛି । ୩୯୬ ଲକ୍ଷ ଟନ ଚାଉଳର ଏହି ଭଣ୍ଡାରର ପରିସ୍ଥିତିରେ ଉପଯୋଗ ହୋଇପାରେ । ମୂଲ୍ୟ ବୃଦ୍ଧି ହେଲେ ନିୟନ୍ତ୍ରଣ ଲାଗି ସରକାର ଭଣ୍ଡାରରୁ ଚାଉଳ ବାହାର କରିପାରିବେ ।

Leave A Reply

Your email address will not be published.