ବେସରକାରୀ ହସ୍ପିଟାଲର ମନମାନୀ : ରୋଗୀ ସର୍ବସ୍ୱାନ୍ତ

0 62

ଭୁବନେଶ୍ୱର, ୨୭ା୮ (ଡିକେ ନ୍ୟୁଜ୍‌): ଲୋକଙ୍କୁ ହାତପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ବଜେଟରେ ସିଂହଭାଗ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ସରକାରଙ୍କ ନୀତିନିୟମ ମାନି ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ହେଉଛି ସରକାରଙ୍କ ଲକ୍ଷ୍ୟ । କିନ୍ତୁ କିଛି ବେସରକାରୀ ହସ୍ପିଟାଲ ସରକାରଙ୍କ ନୀତିନିୟମକୁ ଅଣଦେଖା କରି ନିଜର ମନମାନୀ କରିଚାଲିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବେସରକାରୀ ହସ୍ପିଟାଲ ନିର୍ମାଣ ପାଇଁ ସୁଲଭ ମୂଲ୍ୟରେ ସରକାର ଜାଗା ଯୋଗାଇବାଠାରୁ ଆରମ୍ଭକରି ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରିଥାନ୍ତି । କିନ୍ତୁ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଲାଭଖୋର ଓ ଅର୍ଥ ତୋଷାରପାତ ମନୋବୃତ୍ତି ଯୋଗୁ ରୋଗୀଙ୍କୁ ସଠିକ୍ ଚିକିତ୍ସା ଯୋଗାଉ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଏକ ବେସରକାରୀ ଡାକ୍ତରଖାନା ଉତ୍କଳ ହସ୍ପିଟାଲରେ । ସରକାରୀ ହସ୍ପିଟାଲଠାରୁ ଉନ୍ନତମାନର ଚିକିତ୍ସା ଆଶା ନେଇ ରୋଗୀ ଜଣକ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ରୋଗରୁ ଉପଶମ ମିଳିବ କ’ଣ ଦିନକୁ ଦିନ ବଢ଼ିବାରେ ଲାଗିଲା । ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିବା ପରେ ମଧ୍ୟ ରୋଗୀ ଜଣକ ସୁସ୍ଥ ହୋଇପାରିଲେ ନାହିଁ । ବରଂ ଦୂରାସାଧ୍ୟ ରୋଗରେ ପୀଡ଼ିତ ହେଲେ । ଖାଲି ଏତିକି ନୁହେଁ, ଘରକୁ ଫେରିବା ବେଳେ ଆମ୍ବୁଲାନ୍ସ ପାଇଁ ମଧ୍ୟ ହଟହଟ୍ଟା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁସ୍ଥ ହେବା ପରିବର୍ତ୍ତେ ସର୍ବସ୍ୱାନ୍ତ ହୋଇ ଅଧିକ ରୋଗ ଧରି ଯଦି ଘରକୁ ଫେରେ, ଏଥିପାଇଁ କିଏ ଦାୟୀ ? ବେସରକାରୀ ହସ୍ପିଟାଲଗୁଡ଼ିକ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ସିଧାସଳଖ ଅଣଦେଖା କରୁଥିଲେ ହେଁ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, କୌଣସି ପ୍ରଶାସନିକ ଅଧିକାରୀ ଏମାନଙ୍କ ଉପରକୁ ଅଙ୍ଗୁଳି ମଧ୍ୟ ଉଠାନ୍ତି ନାହିଁ । ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ସ୍ୱାସ୍ଥ୍ୟସେବାକୁ ୫-ଟିରେ ସାମିଲ୍ କରିଥିଲେ ହେଁ ଅନେକ ବେସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯିବା ସହିତ ଉତ୍ତମ ଚିକିତ୍ସା ମଧ୍ୟ ମିଳୁନାହିଁ । ତେଣୁ ୫-ଟି ସଚିବ ଏଥିପ୍ରତି ଦୃଷ୍ଟି ଦେଇ ବେସରକାରୀ ହସ୍ପିଟାଲରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ତାର ଯାଞ୍ଚ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.