ଦୁବାଇ ପରେ ଦିଲ୍ଲୀରେ ହେବ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ନବୀନ

0 71

ଭୁବନେଶ୍ୱର, ୨୮ା୮(ଡିକେ ନ୍ୟୁଜ): ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ୩ ମାସରୁ କମ୍ ସମୟ । ଆରମ୍ଭ ହୋଇଛି ପ୍ରସ୍ତୁତି । ଦୁବାଇରେ ପରେ ଏବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଇନଭେଷ୍ଟର୍ସ ମିଟ୍ । ଅଗଷ୍ଟ ୩୧ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଦୁବାଇ ଭଳି ନୂଆଦିଲ୍ଲୀରେ ମଧ୍ୟ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ୧୬ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ନବୀନ ଆଲୋଚନା କରିବେ । ଦୁବାଇ, ଅହମ୍ମଦାବାଦ ପରେ ତୃତୀୟ ରୋଡ଼ ସୋ ଦିଲ୍ଲୀରେ ହେବାକୁ ଯାଉଛି । ରାଜ୍ୟ ସରକାର ଓ ଫିକିର ମିଳିତ ଉଦ୍ୟମରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ଓଡ଼ିଶାକୁ କିପରି ଅଧିକ ପୁଞ୍ଜି ଆସିବ ତାହାକୁ ଗୁରୁତ୍ୱ ଦିଆଯାଉଛି । ଦିଲ୍ଲୀ ପରେ ଅନ୍ୟ ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ସରକାର ରୋଡ଼ ଶୋ କରିବାକୁ ଯାଉଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇ ଗସ୍ତ କର ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ସାମିଲ ହୋଇଥିଲେ । ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଥିଲା ପ୍ରସ୍ତାବ । ତେଣୁ ଦିଲ୍ଲୀ ଇନଭେଷ୍ଟର୍ସ ମିଟ୍‌ରେ ମଧ୍ୟ ଓଡ଼ିଶା ସରକାର ଏକ ବଡ଼ ଧରଣର ପୁଞ୍ଜିନିବେଶ ଓଡ଼ିଶାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷକରି ପେଟ୍ରୋକେମିକାଲ୍ସ, କେମିକାଲ୍ସ, ପ୍ଲାଷ୍ଟିକ, ମେଟାଲ୍ସ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ଆଇଟି ଆଦି ଦିଗରେ ଓଡ଼ିଶାରେ ଅଧିକ ସୁଯୋଗ ରହିଛି । ଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହାସହ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ଶିଳ୍ପ ସଚିବଙ୍କ ସମତେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗଦେବେ । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌-ଥ୍ରୀ ଅନୁଷ୍ଠିତ ହେବ ।

Leave A Reply

Your email address will not be published.