ବେଆଇନ ଧାରଣା ନେଉଛି ଜୀବନ ବୋହୂ ଧାରଣା ଦେବାରୁ ଶାଶୂଙ୍କ ଆତ୍ମହତ୍ୟା

0 70

ବ୍ରହ୍ମପୁର, ୨୮ା୮ (ଡିକେ ନ୍ୟୁଜ୍‌): ବୋହୂର ଧାରଣା ପରେ ଫିନାଇଲ ପିଇ ଶାଶୂଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ମଧ୍ୟଖଣ୍ଡ ସାହିରେ । ମୃତା ମହିଳାଜଣକ ହେଲେ ସୁଷମା ପଣ୍ଡା । ୨୦୨୦ରେ ପୁଅକୁ ବାହା ଦେଇଥିଲେ ସୁଷମା । ହେଲେ ବିବାହର ମାତ୍ର ୧୦ ଦିନ ପରେ ପୁଅବୋହୂଙ୍କ କଳହ ଆରମ୍ଭ ହୋଇଥିଲା । ଏହାପରେ ବୋହୂ ବାପ ଘରକୁ ଚାଲିଯାଇଥିଲେ । ଏଥିନେଇ ବୋହୂ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ହେଲେ ପାରିବାରିକ କଳହର ସମାଧାନ ହୋଇପାରିନଥିବା ବେଳେ ଶନିବାର ଦିନ ବୋହୂ ଶାଶୂ ଘରେ ପହଞ୍ôଚଥିଲେ । ତାଙ୍କ ସହିତ ଆଈ ମଧ୍ୟ ଥିଲେ । ଉଭୟେ ସୁଷମାଙ୍କ ଘର ଆଗରେ ଧାରଣାରେ ବସିଥିଲେ । ବୋହୂ ଧାରଣା ଦେବାରୁ ମାନସିକ ଆଘାତ ପାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଇଥିଲେ ଶାଶୂ ସୁଷମା । ରବିବାର ସକାଳେ ସେ ଫିନାଇଲ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟିଚାଲିଛି । ବ୍ରହ୍ମପୁରରେ ମଧ୍ୟ ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ଯେଉଁଭଳି ଭାବେ ଦିନେଶଙ୍କ ଘର ଆଗରେ ଦୀର୍ଘଦିନ ହେବ ଧାରଣାରେ ବସିଛନ୍ତି, ଏହାଦ୍ୱାରା ଦିନେଶଙ୍କ ପରିବାରରେ ରହୁଥିବା ତାଙ୍କ ବାପା, ମା’, ଜେଜେବାପା, ଜେଜେମା’ଙ୍କର ମାନସିକ ସ୍ଥିତି ଠିକ୍ ନଥିବା ସୂଚନା ମିଳିଛି । ଏଭଳି କାର୍ଯ୍ୟ ଯଦି ଆଗକୁ ଜାରି ରୁହେ, ତେବେ ସୁଷମା ଯେଭଳି ମାନସିକ ଭାରସାମ୍ୟ ହରାଇ ବିଷ ପିଇଆତ୍ମହତ୍ୟା କଲେ, ଦିନେଶଙ୍କ ପରିବାରରେ ଯେ ସେଭଳି ଅଘଟଣ ନ ଘଟିବ ତାହା କହିହେବ ନାହିଁ । ତେଣୁ ଏଥିପ୍ରତି ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ବେଆଇନ ଧାରଣାରେ ବସିବା ଯୋଗୁ ବ୍ୟକ୍ତିବିଶେଷଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରତିଷେଧକ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.