ଭାଙ୍ଗିବା ପରେ ମୁହଁ ଖୋଲିଲେ ଟ୍ୱିନ୍ ଟାୱାର କମ୍ପାନୀର ଅଧ୍ୟକ୍ଷ

0 77

ନୋଏଡା, ୨୮ା୮: ଉପରକୁ ଆଖିପାଉ ନଥିବା ନୋଏଡାର ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ ମୁହଁ ଖୋଲିଛନ୍ତି ସୁପରଟେକର ଚେୟାରମ୍ୟାନ୍ ଆର.କେ ଆରୋରା । ଏକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ବିଲଡିଂ ପ୍ଲାନରେ କୌଣସି ଏପଟସେପଟ ହୋଇ ନାହିଁ । ନୋଏଡା କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରାପ୍ୟ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଦୁଇଟି ଟାୱାର ପାଇଁ ନୋଏଡା କର୍ତ୍ତୃପକ୍ଷ ଜମି ଦେଇଥିଲେ । ସେକ୍ଟର ୯୩-ଏରେ ନିର୍ମାଣ ହୋଇଥିବା ଟ୍ୱିନ୍ ଼ଟାୱାର୍ସ ଆପେକ୍ସ ଏବଂ ସିୟାନେ ବିଲ୍ଡିଂ ଦୁଇଟି ଇମେରାଲଡ୍ କୋର୍ଟ ପ୍ରୋଜେକ୍ଟର ଅଂଶବିଶେଷ । ୨୦୦୯ରେ ନୋଏଡା କର୍ତ୍ତୃପକ୍ଷ ଏହି ଦୁଇଟି ଟାୱାର ପାଇଁ ବିଲଡିଂ ପ୍ଲାନ ମଞ୍ଜୁର କରିଥିଲେ । । ପରେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ନିୟମ ଅନୁଯାୟୀ ଏହି ଟାୱାର ନିର୍ମାଣ ହୋଇଥିଲା ବୋଲି ସେ କହିଛନ୍ତି । ଟାୱାର ଦୁଇଟିର ନିର୍ମାଣ ସୁପ୍ରିମକୋର୍ଟଙ୍କୁ ଅନୁପଯୁକ୍ତ ଲାଗିଥିଲା । ତେଣୁ ଟାୱାର ଦୁଇଟିକୁ ଭାଙ୍ଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆରୋରା କହିଛନ୍ତି ଯେ, ଆମେ ସର୍ବୋଚ୍ଚ ନ୍ୟାୟାଳୟକୁ ସମ୍ମାନ ଜଣାଉଛୁ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରୁଛୁ । ସେଥିପାଇଁ ଏହି ଟାୱାର ଭାଙ୍ଗିବା ପାଇଁ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଏଜେନ୍ସିକୁ ଦାୟିତ୍ୱ ଦେଇଥିଲୁ । ଯାହାର ଉଚ୍ଚ ଅଟ୍ଟାଳିକା ଗୁଡ଼ିକୁ ଭାଙ୍ଗିବାରେ ଅଭିଜ୍ଞତା ରହିଛି । ନୋଏଡାରେ ପ୍ରତିଷ୍ଠିତ ବିଲଡର ଆର.କେ ଆରୋରା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ଅନ୍ୟ କୌଣସି ଚାଲୁଥିବା ପ୍ରକଳ୍ପ ଉପରେ ପ୍ରଭାବ ପକାଇବ ନାହିଁ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫ୍ଲାଟଗୁଡିକୁ ଅନ୍ୟ ଉପଭୋକ୍ତାଙ୍କୁ ଆବଣ୍ଟନ ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ । ଆମେ ୭୦୦୦ରୁ ଅଧିକ ୟୁନିଟ୍ ଘର ବିକ୍ରି କରିଛୁ । ସମୟ ସୀମା ଭିତରେ ଅବଶିଷ୍ଟ ଉପଭୋକ୍ତାଙ୍କୁ ଗୃହ ଆବଣ୍ଟନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.