ନିର୍ମାଣ ହୋଇପାରିବନି ବିକୃତ ମୂର୍ତ୍ତି : ହାଇକୋର୍ଟ

0 65

କଟକ, ୨୯ା୮(ଡିକେ ନ୍ୟୁଜ): କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ । ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୋଲିସ୍ ପ୍ରଶାସନ ଉପରେ ଛାଡ଼ିଦେଲେ ହାଇକୋର୍ଟ । ଗତକାଲି ବିବାଦ ଦେଖାଦେଇଥିବା ବେଳେ ଆଜି ଏହି ନିଷ୍ପତ୍ତି ଆସିଛି । ସୂଚନା ଥାଉ କି, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୋଲିସ୍ । ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ତାଗିଦ୍‌ କରିଥିଲା । ପୋଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ । ସେପଟେ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବ୍‌ଗୁଡ଼ିକୁ ପୁନଃ ସଚେତନ ହେବାକୁ କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ ଅପିଲ କରିଛନ୍ତି ଡିସିପି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହାଇକୋର୍ଟକୁ କଥା ଯିବା ପରେ ପୋଲିସ ପକ୍ଷରୁ ସରକାରୀ ଓକିଲଙ୍କ ଜରିଆରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା । ଯାହା ପରେ ହାଇକୋର୍ଟ ପୋଲିସ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି । ପୋଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି । କୌଣସି ସ୍ଥାନରେ ଏଭଳି ମୂର୍ତ୍ତି ନିର୍ମାଣ ହେଉଥିଲେ କିମ୍ବା ମଣ୍ଡପରେ ବସୁଥିଲେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ । ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ଭଳି କାର୍ଯ୍ୟକୁ ଗ୍ରହଣ କରାଯିବନି ବୋଲି ସେ କହିଛନ୍ତି । ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶଙ୍କ ବିକୃତ ତଥା ବିଦ୍ରୁପ ମୂର୍ତ୍ତି ତିଆରି କରାଯାଉଛି । କେଉଁଠି ବିଘ୍ନ ବିନାଶକଙ୍କ ରୁଦ୍ର ରୂପ ତ କେଉଁଠି ମୂର୍ତ୍ତିରେ ଗଜାନନ ସିଂହ ଉପରେ ବିରାଜମାନ କରିଛନ୍ତି । ପୁଣି କେଉଁଠି ଗଣେଶ ଘୋଡ଼ା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ଼ ଉପରେ । ମୂର୍ତ୍ତି କାରିଗରମାନେ ନିଜ ମନଇଚ୍ଛା ଏବଂ ଲୋକଙ୍କ ବରାଦିରେ ଏଭଳି ମୂର୍ତ୍ତି ତିଆରି କରୁଛନ୍ତି । ଯାହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯିବା ସହ ପୋଲିସରେ ଅଭିଯୋଗ ପରେ ମୂର୍ତ୍ତି ନିର୍ମାଣ ବିବାଦ ଉପୁଜିଛି ।

Leave A Reply

Your email address will not be published.