ବିଜୁ ମହିଳା ଜନତା ଦଳର ପୁନର୍ଗଠନ

0 64

୩୧ା୮(ଡିକେ ନ୍ୟୁଜ): ବିଜେଡିର ଯୁବ ଓ ଛାତ୍ର ସଂଗଠନ ପରେ ଆଜି ମହିଳା ସଂଗଠନର ପୁନର୍ଗଠନ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ବିଜେଡିର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ୩ଜଣ ନେତ୍ରୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମୋଟ ୩୫୩ ଜଣିଆ ଟିମ୍ ଗଠନ ହୋଇଛି । ଆଜି ଦଳ ପକ୍ଷରୁ ଜାରି ମହିଳା ବିଜେଡି ପୁନର୍ଗଠନ ତାଲିକା ଅନୁସାରେ, ଏହି ବିଶାଳକାୟ ଟିମ୍‌ରେ ୨୩ଜଣ ଉପଦେଷ୍ଟା, ୩ଜଣ କାର୍ଯ୍ୟକାରୀ ସଭାନେତ୍ରୀ, ଜଣେ ମହାସଚିବ, ୭ଟି ଜୋନ୍ ପାଇଁ ୧୩ଜଣ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ, ୧୬ଜଣ ବରିଷ୍ଠ ଉପସଭାନେତ୍ରୀ, ୪୫ଜଣ ଉପସଭାନେତ୍ରୀ, ୭୧ଜଣ ସାଧାରଣ ସମ୍ପାଦିକା, ୮୦ଜଣ ସମ୍ପାଦିକା, ୩୩ଜଣ ଯୁଗ୍ମ ସମ୍ପାଦିକା ଓ ୬୮ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଏହାସହିତ ୩୪ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମିଶାଇ ମୋଟ ୪୦ଜଣ ମହିଳାଙ୍କୁ ଥଇଥାନ କରାଯାଇଛି । ତାଲିକା ଅନୁସାରେ ଦଳର ୨୩ଜଣ ମହିଳା ବିଧାୟିକା ଓ ସାଂସଦଙ୍କୁ ମହିଳା ବିଜେଡିର ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି । ସେହିପରି ୩ଜଣ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବାଲେଶ୍ୱରର ସୁବାସିନୀ ଜେନା, ଯାଜପୁରର ସୁଲତା ଦେଓ ଓ ନବରଙ୍ଗପୁରର ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ବିଜେଡିର ମହାସଚିବ ଭାବେ ପୁନର୍ବାର ଦାୟିତ୍ୱ ମିଳିଥିବା ବେଳେ ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର, ଗଞ୍ଜାମ ଓ କୋରାପୁଟ ଜୋନ୍ ମଧ୍ୟରୁ କେବଳ ଗଞ୍ଜାମ ଜୋନ୍ ପାଇଁ ସଭାନେତ୍ରୀ ଭାବେ ମମତା ବିଶୋୟୀଙ୍କୁ ଦାୟିତ୍ୱ ମିଳିଛି । ଅନ୍ୟ ୬ଟି ଜୋନ୍‌ରେ ଉଭୟ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି । ଭୁବନେଶ୍ୱର ଜୋନ୍ ସଭାନେତ୍ରୀ ଭାବେ ସଂଯୁକ୍ତା ମହଲ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ କଟକ ଜୋନ୍‌ର ସଭାନେତ୍ରୀ ସୁଭଦ୍ରା ଦାସ, କାର୍ଯ୍ୟକାରୀ ସଭାନେତ୍ରୀ ପ୍ରଭାସିନୀ ଷଡ଼ଙ୍ଗୀ, ବାଲେଶ୍ୱର ଜୋନ ସଭାନେତ୍ରୀ ବୀଣାପାଣୀ ସାହୁ ଓ କାର୍ଯ୍ୟକାରୀ ସଭାନେତ୍ରୀ ମୀନା ମାଝୀ, ସମ୍ବଲପୁର ଜୋନ ସଭାନେତ୍ରୀ ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା, ବଲାଙ୍ଗୀର ଜୋନ୍ କଲ୍ୟାଣୀ ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେ, କୋରାପୁଟ ଜୋନ ଲତା ରାୟ ଓ କାର୍ଯ୍ୟକାରୀ ସଭାନେତ୍ରୀ ସୁକାନ୍ତ ବୁର୍ଦ୍ଦାଙ୍କୁ ଦାୟିତ୍ୱ ମିଳିଛି । ୨୦୨୧ ମସିହା ଜୁନ୍ ମାସରେ ପୁନର୍ଗଠିତ ମହିଳା ବିଜେଡିରେ ସାମିଲ ଥିବା ଅଧିକାଂଶ କର୍ମକର୍ତ୍ତାଙ୍କୁ ଆଜିର ପୁନର୍ଗଠନ ତାଲିକାରେ ସ୍ଥାନ ମିଳିଛି । ତେବେ ମହିଳା ବିଜେଡିର ରାଜ୍ୟ ପରିଷଦ କମିଟିରେ ୬୮ଜଣଙ୍କୁ ସାମିଲ କରାଯାଇ ଅଧିକ ନେତ୍ରୀଙ୍କୁ ଥଇଥାନ ପାଇଁ ଉଦ୍ୟମ ହୋଇଛି । ତା’ଛଡ଼ା ଢେଙ୍କାନାଳ, ସମ୍ବଲପୁର, ମୟୂରଭଞ୍ଜ-୧, ମୟୂରଭଞ୍ଜ-୨, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ସଭାନେତ୍ରୀଙ୍କ ସହ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଦଳର ଅନ୍ୟ ୨୮ଟି ସାଂଗଠନିକ ଜିଲ୍ଲାରେ କେବଳ ସଭାନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.