ରୁଷ୍‌ ତେଲ ବଜାରରେ ଭାରତର ଦବ୍‌ଦବା

0 69

ନୂଆଦିଲ୍ଲୀ: ରୁଷ୍‌ରୁ ତେଲ କିଣିବାରେ ଭାରତ ଯଥେଷ୍ଟ ଆଗକୁ ବଢ଼ିଯାଇଛି । ରୁଷ୍‌ ତରଫରୁ ଉପଲବ୍ଧ କରାଯାଉଥିବା ଏକ ପଞ୍ଚାମାଂଶ ତେଲକୁ ଭାରତ କିଣୁଛି । ଫଳରେ ଏହି ବଜାରରେ ଚୀନ୍‌ର ଯେଉଁ ଆଧିପତ୍ୟ ଥିଲା ତାହାକୁ ଭାରତ ଶେଷ କରିଛି । ଏବେ ଏହା ରୁଷ୍‌ର ଅଗ୍ରଣୀ ତୈଳ ଗ୍ରାହକ ଭାବେ ଉଭା ହୋଇଛି । ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ କରିବା ପରେ ତୈଳ କାରବାରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଆମେରିକା ଓ ବହୁ ପାଶ୍ଚାତ୍ୟ ଦେଶ ରୁଷ୍‌ ଉପରେ କଠୋର କଟକଣା ଲଗାଇଥିବାରୁ ନିଜ ଆର୍ଥିକ ସ୍ଥିତିକୁ ଦୃଢ଼ ରଖିବା ଲାଗି ଏହି ଦେଶ ରିହାତି ଦାମ୍‌ରେ ତେଲ ବିକ୍ରି କରୁଛି । ସେହି ତେଲକୁ କିଣିବା ଲାଗି ଭାରତ ପ୍ରବଳ ଆଗ୍ରହ ଦେଖାଇଛି । ଇଏସ୍‌ପିଓ ନାମରେ ପରିଚିତ ରୁଷ୍‌ର ଅଶୋଧିତ ତୈଳ ବୋଝେଇ ହୋଇଥିବା ୬ଟି ଜାହାଜ ଅଗଷ୍ଟରେ ଭାରତ ଆସିଥିଲା । ଏହି ମାନର ତେଲକୁ ଭାରତ ପୂର୍ବରୁ ପସନ୍ଦ କରୁନଥିଲା । ମାତ୍ର ଏବେ ତାହାକୁ ଅଧିକ ମାତ୍ରାରେ କିଣାଯାଉଛି । ରୁଷ୍‌ ତେଲ ଭାରତ ପହଞ୍ଚିବା ଲାଗି ବହୁ ଦିନ ଲାଗୁଛି । ମାତ୍ର ଦାମ୍‌ କମ୍‌ ଥିବାରୁ ଅଧିକ ଦିନ ଅପେକ୍ଷା କରିବାକୁ ଭାରତୀୟ କଂପାନିଗୁଡ଼ିକ କୁଣ୍ଠା ପ୍ରକାଶ କରୁନାହାନ୍ତି । ଆମେରିକା ଓ ୟୁରୋପର ଅଧିକାଂଶ ଦେଶ ତେଲ କିଣିବା ବନ୍ଦ କରିଦେଇଥିବାରୁ ରୁଷ୍‌ ଉତ୍ପାଦନ କରୁଥିବା ତେଲ ବିପୁଳ ମାତ୍ରାରେ ବଜାରରେ ଉପଲବ୍ଧ ରହୁଛି । ତାହା ରିହାତିରେ ମିଳୁଥିବାରୁ ଭାରତ ସୁଯୋଗ ହାତ ଛଡ଼ା କରିବାକୁ ଚାହୁନାହିଁ । ପୂର୍ବରୁ ଭାରତ ପକ୍ଷରୁ ରୁଷ୍‌ର ଉନ୍ନତ ମାନର ଅଶୋଧିତ ତୈଳ ଉରାଲ୍‌ସ କ୍ରୁଡ୍‌କୁ କିଣାଯାଉଥିଲା । ଏବେ ଇଏସ୍‌ପିଓ କ୍ରୁଡ୍‌କୁ କିଣିବା ଆରମ୍ଭ କରାଯାଇଛି । ଇଏସ୍‌ପିଓ କ୍ରୁଡ୍‌କୁ ପୂର୍ବରୁ ଚୀନ୍‌ ଅଧିକ ମାତ୍ରାରେ କିଣୁଥିଲା । ସାଉଦି ଆରବ ଓ ଆବୁଧାବି ଭଳି ମଧ୍ୟପ୍ରାଚ୍ୟର ସ୍ଥାନରୁ ତେଲ ମଗାଇବା ବଦଳରେ ରୁଷ୍‌ର ଇଏସ୍‌ପିଓ କ୍ରୁଡ୍‌ ଭାରତକୁ ଶସ୍ତା ପଡ଼ୁଛି । ଜୁଲାଇ ମାସରେ ଏହି ମାନର ତେଲ ବୋଝେଇ ହୋଇଥିବା ପାଞ୍ଚଟି ଜାହାଜ ଭାଦିନାର, ସିକ୍କା, ପାରାଦୀପ ଓ ମୁନ୍ଦ୍ରା ବନ୍ଦରରେ ଲାଗିଥିଲା । ଏହି ବନ୍ଦରଗୁଡ଼ିକ ପାଖାପାଖି ଅଞ୍ଚଳରେ ଇଣ୍ଡିଆନ ଅଏଲ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ନାୟରା ଲିମିଟେଡ୍‌ ଭଳି ସଂସ୍ଥାର ବିଶୋଧନାଗାର ରହିଛି । ଲକ୍ଷେ ଟନ୍‌ କ୍ଷମତାର ଛୋଟ ଜାହାଜ ଓ ଲମ୍ବା ସମୟ ସମୁଦ୍ରରେ ଯାତ୍ରା କରିବାକୁ ପଡ଼ୁଥିବାରୁ ପୂର୍ବରୁ ଇଏସ୍‌ପିଓ ଅଶୋଧିତ ତୈଳ କିଣିବାକୁ ଭାରତ ଆଗ୍ରହ ଦେଖାଉନଥିଲା । କିନ୍ତୁ ଚୀନ୍‌, ଦକ୍ଷିଣ କୋରିଆ ଓ ଜାପାନ ମାସକୁ ୩୦- ୩୫ଟି ଜାହାଜ ମଗାଉଥିଲେ । ଏବେ ସ୍ଥିତି ଭିନ୍ନ ରହିବା ଓ ଶସ୍ତାରେ ତେଲ ମିଳିବାରୁ ଭାରତ ସେହି ତେଲ ପ୍ରତି ଆକର୍ଷିତ ହୋଇଛି । ତେବେ ରୁଷ୍‌ର ରାଜସ୍ୱ ଉତ୍ସକୁ ସଙ୍କୁଚିତ କରିବା ଲାଗି ତୈଳ କାରବାରର ସୀମା ନିର୍ଧାରିତ କରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଛି ।

Leave A Reply

Your email address will not be published.