୬ ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0 60

ଭୁବନେଶ୍ୱର, ୧୯ା୯(ଡିକେ ନ୍ୟୁଜ): ସୋମବାର ନବୀନ ନିବାସଠାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ନେଇ ଦକ୍ଷତାର ସହ ତୁଲାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରି କହିଥିଲେ ଯେ ଖୁବ୍‌ କମ୍‌ ସମୟ ମଧ୍ୟରେ ଜାତୀୟ ପତାକା ପ୍ରସ୍ତୁତ କରିବା ଏକ ଗୁରୁଦାୟିତ୍ୱ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉପରେ ଭରସା ରଖି ଏ ଦାୟିତ୍ୱ ଦେଇଥିଲେ ଏବଂ ଆପଣମାନେ ମଧ୍ୟ ଏହାକୁ ସଫଳତାର ସହ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ସାକାର କରିପାରିଛନ୍ତି । ଏପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ମହିଳାମାନଙ୍କ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନେ ଆଜି ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି ବୋଲି ମତ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଓ ସବୁବେଳେ ରହିବେ ବୋଲି ସେମାନେ କହିଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ ।

Leave A Reply

Your email address will not be published.