ନୂଆ ନମ୍ବର ପ୍ଲେଟକୁ ନେଇ ବଢ଼ୁଛି ଅସନ୍ତୋଷ

0 64

ଭୁବନେଶ୍ୱର, ୨୫ା୯(ଡିକେ ନ୍ୟୁଜ): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚଏସଆରପି)କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍ପି) ଲଗାଇବାର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ନମ୍ବର ପ୍ଲେଟ ନଲଗାଇଲେ ଗାଡ଼ି ମାଲିକଙ୍କୁ ୫୦୦୦ରୁ ୧୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିବାକୁ ପଡ଼ିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ନମ୍ବର ପ୍ଲେଟ୍‌ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ଏଥିରେ ବହୁ ଅସୁବିଧା ଦେଖାଦେଉଛି । ବିଶେଷକରି କାହାର ରେଜିଷ୍ଟ୍ରେସନ ହୋଇପାରୁନଥିବା ବେଳେ କାହାକୁ ବହୁ ବିଳମ୍ବର ତାରିଖ ମିଳୁଛି । ଯାହାଫଳରେ ସାଧାରଣ ଲୋକେ ନମ୍ବର ପ୍ଲେଟକୁ ନେଇ ଚିନ୍ତାରେ ଥିବାବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ବଡ଼ ଧରଣର ଅସନ୍ତୋଷ ଦେଖାଦେଲାଣି । ତେଣୁ ନମ୍ବର ପ୍ଲେଟ ଲଗାଇବାର ଅବଧିକୁ ଆଉ କିଛିଦିନ ଘୁଞ୍ଚାଇବା ସହ ରେଜିଷ୍ଟ୍ରେସନ ବ୍ୟବସ୍ଥା ସରଳୀକରଣ କରିବାକୁ ସାଧାରଣ ଲୋକଙ୍କ ସହ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏଚଆରପିସି ପାଇଁ ଅନଲାଇନରେ ଆବେଦନ କରିଥିବା ବହୁ ଗାଡ଼ି ମାଲିକଙ୍କୁ ନମ୍ବର ଲଗାଇବା ପାଇଁ ସେପ୍ଟେମ୍ବର ୩୦ ପରେ ତାରିଖ ମିଳିଛି । ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାର ଥିବାବେଳେ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ । ତେଣୁ ଯେଉଁ ଗାଡ଼ି ମାଲିକଙ୍କୁ ସେପ୍ଟେମ୍ବର ୩୦ ତାରିଖ ପରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ତାରିଖ
ମିଳିଛି ସେମାନେ କଣ କରିବେ ସେନେଇ ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି । ଏନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସରକାରୀ ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ଇଣ୍ଟରନେଟ୍‌ ନଥିବା ବେଳେ ସେଠାକାର ବହୁ ଗାଡ଼ି ମାଲିକ ସ୍ଲଟ୍‌ ବୁକିଂ କରିପାରୁନାହାନ୍ତି । ସେହିପରି ସ୍ଲଟ ବୁକିଂ କରୁଥିବା ଲୋକ ନମ୍ବର ଲଗାଇବା ସ୍ଥାନରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହେଉଛନ୍ତି । ଏସବୁ କାରଣ ଯୋଗୁଁ ଦଲାଲମାନଙ୍କର ପ୍ରାଦୁର୍ଭାବ ବ଼ଢ଼ୁଛି । ତେଣୁ ତଣୁ ଲୋକଙ୍କ ସ୍ୱାର୍ଥ ଓ ଦଶହରା ଏବଂ ଦୀପାବଳି ପରି ଗଣପର୍ବକୁ ଆଖି ଆଗରେ ରଖି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩୧ତାରିଖକୁ ଘୁଞ୍ଚାଇବାକୁ ସେ ଚିଠି ମାଧ୍ୟମରେ ଦାବି କରିଛନ୍ତି । ସମାନ ଦାବି କଂଗ୍ରେସ ପକ୍ଷରୁ ମଧ୍ୟ କରାଯାଇଛି । ଛାତ୍ର କଂଗ୍ରେସର ମୁଖ୍ୟ
ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର କହିଛନ୍ତି ଯେ ଏଚଆରପିସି ପରି ବ୍ୟବସ୍ଥା ଲାଗୁ କରି ଲୋକଙ୍କ ଉପରେ ଅଯଥା ଭାର ଲଦି ଦିଆଯାଉଛି । ରେଜିଷ୍ଟ୍ରେସନ ଏବଂ ସ୍ଲଟ୍‌ ବୁକିଂରେ ଚରମ ଅବ୍ୟବସ୍ଥା ଲୋକଙ୍କ ପାଇଁ ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ସାଜିଛି । ଜୋରିମାନା ଭୟରେ ଗାଡ଼ିମାଲିକମାନେ ଏବେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି । ତେଣୁ ଏହାକୁ ଅନ୍ତତଃ ପକ୍ଷେ ଆଉ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ବ୍ୟବସ୍ଥାକୁ ସରଳ କରାଯାଉ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.