ବେଙ୍ଗାଲୁରୁ ଇନ୍‌ଭେଷ୍ଟର୍ସ ମିଟ୍‌ରେ ନବୀନଙ୍କ ପ୍ରତିଶ୍ରୁତି ଏକ୍ସ ନୁହେଁ, ଓଡ଼ିଶା ଦେବ ଏକ୍ସ ପ୍ଲସ୍‌ ସୁବିଧା

0 61

ଭୁବନେଶ୍ୱର, ୨୮ା୯ (ଡିକେ ନ୍ୟୁଜ୍‌): ଏକ୍ସ ନୁହେଁ ଓଡ଼ିଶା ଦେବ ଏକ୍ସପ୍ଲସ୍‌ର ସୁବିଧା । ଅନ୍ୟ ରାଜ୍ୟଗୁଡ଼ିକ ଶିଳ୍ପାୟନ ଲାଗି ଏକ୍ସ ସୁବିଧା ଦେଲେ ଓଡ଼ିଶା ଦେବ ଏକ୍ସପ୍ଲସ୍‌ । ବେଙ୍ଗାଲୁରୁ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ସମ୍ମିଳନୀରେ ୪୦୦ରୁ ଊଦ୍ଧ୍ୱର୍ ଶିଳ୍ପ ପ୍ରତିନିଧିଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି । କାହିଁକି ଓଡ଼ିଶା ଶିଳ୍ପ ଅନୁକୂଳ ସେଥିନେଇ ବଡ଼ ବଡ଼ କମ୍ପାନୀ ସିଇଓଙ୍କୁ ବୁଝାଇ କହିଛନ୍ତି ନବୀନ । ଓଡ଼ିଶା ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ, ସ୍ଥିର ସରକାର ମୁଖ୍ୟ କାରଣ ସାଜିଛି । ଶିଳ୍ପାୟନ ଓ ପୁଞ୍ଜିନିବେଶରେ ସାରା ଦେଶରେ ଓଡ଼ିଶା ଏବେ ଆଗୁଆ । ଭୁବନେଶ୍ୱରରେ ବହୁ ଆଇଟି କମ୍ପାନୀ ପ୍ରତିଷ୍ଠା ହେଲାଣି । ସରକାର ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏପରିକି ପ୍ରତିଶ୍ରୁତିଠାରୁ ଅଧିକ ସୁବିଧା ସୁଯୋଗ ଗ୍ରାଉଣ୍ଡ ଜିରୋରେ ସରକାର ଶିଳ୍ପପତିଙ୍କୁ ଯୋଗାଇ ଦେଉଛନ୍ତି ବୋଲି ନବୀନ କହିଛନ୍ତି । ତା’ର ପ୍ରମାଣ ହେଉଛି ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସ୍‌ ।
ଯେଉଁଥିରେ ଓଡ଼ିଶା ଦେଶର ମ୍ୟାନୁଫ୍ୟାକଚ୍‌ରିଂ ଇଣ୍ଡଷ୍ଟ୍ରିଆଲ ନେଟ୍‌ ବର୍ଗରେ ଆଚିଭର ଆଖ୍ୟା ପାଇଛି । ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ସେଥିପାଇଁ ଓଡ଼ିଶା ଆସି ପୁଞ୍ଜିନିବେଶ କଲେ ସ୍ୱାଗତ କରାଯିବ ବୋଲି ଉଦ୍‌ବୋଧନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା ପ୍ଲାଟଫର୍ମ ଦ୍ୱାରା ଓଡ଼ିଶାରେ ଶିଳ୍ପାୟନର ସୁବିଧାକୁ ବିସ୍ତୃତ ଭାବରେ ଦର୍ଶାଯାଇଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବାକୁ ଥିବା ଓଡ଼ିଶା କନ୍‌କ୍ଲେଭ୍‌ରେ ସାମିଲ୍‌ ହେବା ପାଇଁ ସେ
ସମସ୍ତ ଶିଳ୍ପ ପ୍ରତିନିଧିଙ୍କୁ ଆସିବା ପାଇଁ ନବୀନ ନିମନ୍ତ୍ରଣ କରିଛନ୍ତି । ନୂଆ ଶିଳ୍ପାୟନ ଓଡ଼ିଶାରେ ପାର୍ଟନର ହେବାକୁ ସେ ଆହ୍ୱାନ ଦେଇଛନ୍ତି । ମାଇନିଂ ଓ ମାନୁଫ୍ୟାକ୍‌ଚରିଂ ପରେ ଏବେ ଫୋକସ୍‌ରେ ଆଇଟି ସେକ୍ଟର । ଓଡ଼ିଶାକୁ ଆଇଟି ହବ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଲୁରୁରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କମ୍ପାନୀର ସିଇଓ ଓ ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି । ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜ୍‌ର ସିଇଓ ପି.ସତ୍ୟନାରାୟଣ, ଫ୍ଲିପ୍‌କାର୍ଟର ରଜନିଶ କୁମାର ଆକ୍‌ସେନ୍‌ଚରର ଏମ୍‌ଡି ଅଜୟ ବିଜ୍‌, ନିଶାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନ୍‌ଣ୍ଡ୍ରିର ଏମ୍‌ଡି ଜିତେନ୍ଦ୍ର ଚଢ଼ା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଓଡ଼ିଶାରେ ନିବେଶ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଜି ଆଇବିଏମ୍‌ ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଭୁବନେଶ୍ୱରରେ ଆଇବିଏମ୍‌ ଶାଖା ଖୋଲିବା ନେଇ ସୂଚନା ମଧ୍ୟ ଦେଇଛି । ଯଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ । ଓଡ଼ିଶାକୁ ପ୍ରମୁଖ ଆଇଟି ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଉଦ୍ୟମ ଧିରେ ଧିରେ ସାକାର ହେବାରେ ଲାଗିଛି । ସୂଚନା ପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଏ କ୍ଷେତ୍ରରେ ସହାୟକ ହୋଇଛି । ସମ୍ପ୍ରତି କେବଳ ଭୁବନେଶ୍ୱରରେ ୧୧୦ଟି ଆଇଟି ସଂସ୍ଥା କାର୍ଯ୍ୟ କରୁଛି ଓ ସମଗ୍ର ଓଡ଼ିଶାରେ ଏହି ସଂସ୍ଥାର ସଂଖ୍ୟା ପ୍ରାୟ ଦେଢ଼ ଶହରେ ପହଞ୍ଚିଛି । ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି ସଂସ୍ଥାଗୁଡ଼ିକୁ ଓଡ଼ିଶାମୁହାଁ କରିଛି । ଫଳରେ ଓଡ଼ିଶାର ବୈଷୟିକ ଜ୍ଞାନସମ୍ପନ୍ନ ଯୁବକଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ବା ସହର ନୁହେଁ, ଓଡ଼ିଶାରେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରୁ ସଫ୍ଟୱେର ରପ୍ତାନୀ ୧୦ ଗୁଣା ବୃଦ୍ଧି ପାଇଛି । ୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ମାତ୍ର ୨୦୦ କୋଟି ଟଙ୍କା ମୂଲ୍ୟର ସଫ୍ଟୱେର ରପ୍ତାନୀ ହୋଇଥିଲା । ତେବେ ୨୦୨୦-୨୧ ବେଳକୁ ଏହା ୨୪୦୧.୩୨ କୋଟିରେ ପହଞ୍ଚିଛି । ଓଡ଼ିଶାରେ ଥିବା ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସଟିପିଆଇ) ନିକଟରେ ପଞ୍ଜିକୃତ ସଫ୍ଟୱେର ସଂସ୍ଥା ଏହି ମୂଲ୍ୟର ସଫ୍ଟୱେର ବିଦେଶକୁ ରପ୍ତାନୀ କରିଛନ୍ତି । ୯୦ ଦଶକ ବେଳକୁ ଓଡ଼ିଶାରେ ଆଇଟି ସଂସ୍ଥା କାମ ଆରମ୍ଭ କରିଥିଲେ । ଧୀରେ ଧୀରେ କିଛି ପ୍ରମୁଖ ଆଇଟି ସଂସ୍ଥା ଭୁବନେଶ୍ୱରରେ କାର୍ଯ୍ୟାରମ୍ଭ କରିଛନ୍ତି । ଏଥି ସହିତ ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, କଟକ ଆଦି ସହରରେ ଅନେକ ଛୋଟ ଛୋଟ ସଫ୍ଟୱେର କମ୍ପାନୀ କାମ କରୁଛନ୍ତି । ଓଡ଼ିଶାରେ ଆଇଟି ଶିଳ୍ପର ବିକାଶ ଲାଗି ସରକାର ୨୫୦ ଏକର ଜମିରେ ଦ୍ୱିତୀୟ ଇନ୍‌ଫୋସିଟି ନିର୍ମାଣ କରାଯାଉ ଥିବାବେଳେ ଆ·ର୍ଯ୍ୟ ବିହାର ଛକରେ ୨.୩୦ ଲକ୍ଷ ବର୍ଗ ଫୁଟର ଓକାକ୍‌ ଟାୱାର ନିର୍ମାଣ କରାଯାଇଛି । ୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାରେ ବିଭିନ୍ନ ଆଇଟି କମ୍ପାନୀ କାମ କରୁଛନ୍ତି । ଏଠାରେ ଇନ୍‌କ୍ୟୁବେସନ୍‌ ସେଣ୍ଟର ମଧ୍ୟ ରହିଛି । ୨୦୨୫ ସୁଦ୍ଧା ଓଡ଼ିଶାକୁ ଡାଟା ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଷ୍ଟାର୍ଟଅପ୍‌ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗତବର୍ଷ “ଓ-ହବ୍‌’ ଉଦ୍‌ଘାଟିତ ହୋଇଛି । ନିକଟରେ ଓଡ଼ିଶା ସରକାର ରାଜ୍ୟ କ୍ୟାବିନେଟ୍‌ ଡାଟା ସେଣ୍ଟର ପଲିସି୨୦୨୨କୁ ଅନୁମୋଦନ ଦେଇଛନ୍ତି । ଏହି ନୀତିରେ ଆଇଟି ସଂସ୍ଥାଙ୍କୁ ଜମି, ବିଜୁଳି ଶକ୍ତି ଓ କ୍ୟାପିଟାଲ ସବ୍‌ସିଡି ସହିତ ରାଜ୍ୟ ଜିଏସ୍‌ଟି ଛାଡ଼ ପାଇଁ ପ୍ରାବଧାନ ରହିଛି । ଡାଟା ସେଣ୍ଟରରେ ପୁଞ୍ଜି ନିବେଶ ନିମନ୍ତେ ଏହା ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ । ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ ମନୋରଞ୍ଜନ, ଡିଜିଟାଲ ଶିକ୍ଷା, ଡିଜିଟାଲ ପେମେଣ୍ଟ ଭଳି ଅନେକ ସେବା ବହୁଳ ଲୋକପ୍ରିୟତା ହାସଲ କରିବା ପରିପ୍ରେକ୍ଷୀରେ ଡାଟା ସେଣ୍ଟରର ଗୁରୁତ୍ୱ ବେଶ୍‌ ବୃଦ୍ଧି ପାଇଛି । ଡାଟା ସେଣ୍ଟର ୟୁନିଟ୍‌ ଭିତ୍ତିଭୂମି ନିର୍ମାଣ ବାବଦରେ ସର୍ବାଧିକ ୨୫ କୋଟି ଟଙ୍କା ଉପରେ ୨୦% ସବ୍‌ସିଡି ରାଜ୍ୟ ସରକାର ପ୍ରଦାନ କରିବେ । ଏଥିସହ ରିହାତି ମୂଲ୍ୟରେ ଇଡ୍‌କୋ ଜମି ଯୋଗାଇ ଦେବ । କିସମ ପରିବର୍ତ୍ତନ ଉପରେ ମଧ୍ୟ ଶତପ୍ରତିଶତ ଛାଡ଼ ମିଳିବ । ନୀତି ଅନୁସାରେ ଯୋଗ୍ୟ ଡାଟା ସେଣ୍ଟର ୟୁନିଟକୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଓ ଅନ୍ୟ ସେବା ଉପରେ ରିଆତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଶିକ୍ଷା ପରେ ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି ଓଡ଼ିଶା । ଏହି ଲକ୍ଷ୍ୟକୁ ସାକାର କରିବ ଓଡ଼ିଶା ଆଇଟି ନୀତି-୨୦୨୨ । ପୂର୍ବରୁ ଓଡ଼ିଶାରେ ଅନେକ ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କାମ ଆରମ୍ଭ କରିଥିବା ବେଳେ ଆଉ ଦୁଇ ମାସ ଭିତରେ ଆଇବିଏମ୍‌, ଡେଲଏଟ୍‌ ଭଳି ଅର୍ନ୍ତରାଷ୍ଟ୍ରୀୟ ଆଇଟି କମ୍ପାନୀ ଭୁବନେଶ୍ୱରରେ ନିଜ କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି । ଓଡ଼ିଶାକୁ ଡାଟା ସେଣ୍ଟର ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ସମ୍ପ୍ରତି ଭାରତର ବିଭିନ୍ନ ପ୍ରକାର ତଥ୍ୟ ଅବା ଡାଟା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଡାଟା ସେଣ୍ଟରରେ ସଂରକ୍ଷିତ ରହୁଛି । ତେବେ ଓଡ଼ିଶାରେ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଭାରତର ଡାଟା ଭାରତରେ ସଂରକ୍ଷିତ ରହିବ ଆଉ ଏକ ନୂଆ ଶିଳ୍ପ ପାଇଁ ଏହା ବିରାଟ ସୁଯୋଗ ସୃଷ୍ଟି କରିବ । ଏପରିସ୍ଥଳେ ରେଲ୍‌ଟେଲ ପକ୍ଷରୁ ସମୁଦ୍ର ତଳେ ହାଇ ଫାଇବର୍‌ କେବୁଲ ବିଛାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ସମେତ ପ୍ରାୟ ୯ଟି ଉପକୂଳ ସହରକୁ ସଂଯୋଗ କରିବ । ପଶ୍ଚିମବଙ୍ଗର ଦୀଘାରୁ ସମୁଦ୍ର ଦେଇ କେବୁଲ ଓଡ଼ିଶାରେ ପହଞ୍ଚିବ । ପୁରୀ ଉପକୂଳ ଦେଇ ଏହା ଓଡ଼ିଶାକୁ ଆସିବା ସମ୍ଭାବନା ଅଛି । ସ୍ଥଳପଥରେ କେବୁଲ ଭୁବଶ୍ୱେରର ଆଇଟି ହବ୍‌ରେ ପହଞ୍ଚିବ । ଏଠାରୁ ବିଭିନ୍ନ ଆଇଟି ସଂସ୍ଥାକୁ ସଂଯୋଗ ଦିଆଯିବ ।

Leave A Reply

Your email address will not be published.