କିଟ୍‌ ସମାବର୍ତ୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଜ୍ଞାନ ମୂଳ ସମ୍ବଳ

0 68

ଭୁବନେଶ୍ୱର, ୧ା୧୦(ଡିକେ ନ୍ୟୁଜ): ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ । ବର୍ତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ । ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ,
ବର୍ତ୍ତମାନ ସମୟରେ ବିଶ୍ୱର ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ଭାରତ କ୍ଷୀପ୍ର ଗତିରେ ଯୋଗଦାନ କରି·ଲିଛି । ଆମ ଦେଶର ଯୁବକମାନେ ଏହି ଷ୍ଟାର୍ଟଅପ୍‌ ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି । ତୁମେମାନେ ଦେଶର ପରବର୍ତ୍ତୀ ନେତୃତ୍ୱ । ତୁମର ଭବିଷ୍ୟତ ଦେଶର ଭବିଷ୍ୟତ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ଏକ ସୁଯୋଗ ରହିଛି । ମୁଁ ନିଶ୍ଚିତ, କିଟ୍‌ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ । କିଟ୍‌ ତାର ରୌପ୍ୟ ଜୟନ୍ତୀ ଅବସରରେ ୧୮ତମ ସମାବର୍ତ୍ତନ ପାଳନ କରିଛି । ଗତ ୨୫ବର୍ଷ ମଧ୍ୟରେ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ କିଟ୍‌ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି । ଅଳ୍ପ ସମୟ ମଧ୍ୟରେ କିଟ୍‌ ଆମେରିକାର ଆବେଟ୍‌ ସ୍ୱୀକୃତି ସହ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍ୱୀକୃତି ଲାଭ କରିପାରିଛି । ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ମଧ୍ୟ କିଟ୍‌ର ଉଲ୍ଲେଖନୀୟ ଅବଦାନ ରହିଆସିଛି । ଶିକ୍ଷା କ୍ଷେତ୍ରରେ ଅସମାନତା ଦୂର କରିବାରେ କିଟ୍‌ର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମରେ ନୋବେଲ ବିଜେତା ଡ. ରିଗୋବେର୍ତା ମେଞ୍ଚୁ ତୁମ୍‌ ଭର୍ଚୁଆଲେରେ କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଟିଶ୍‌ ପାର୍ଲାମେଣ୍ଟ ସାଂସଦ ଜନ୍‌ ଦେଶମଣ୍ଡ ଫୋବ୍ସ ଆଣ୍ଡରସନ, ଇଉରୋପିଆନ୍‌ ୟୁନିଅନ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡରସନ ଜନ ପ୍ରମୁଖ ଯୋଗ ଦେଇଥିଲେ । ଚଳିତବର୍ଷ କିଟ୍‌ ବିଶ୍ୱବିଦ୍ୟଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି । ପାରାଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆର ସଭାପତି ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ବିଶୋ ପାରୁଜୁଲିଙ୍କୁ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଚଳିତବର୍ଷ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ପିଏଚ୍‌ଡି ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.