ଦୁଲୁକୁଛି ଧାମନଗର ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

0 66

ଭୁବନେଶ୍ୱର, ୨୫ା୧୦ (ଡିକେ ନ୍ୟୁଜ୍‌): ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ୩ଦଳ ତୟାର ଥିବାବେଳେ ବିଜେଡି କିନ୍ତୁ ସବୁଠୁ ଆଗରେ ରହିଛି । ଦଳ ପକ୍ଷରୁ ଜୋରଦାର କ୍ୟାମ୍ପେନିଂ ସହ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ ଅବନ୍ତୀ ଦାସ । ଏଥିସହ ୨୭ତାରିଖରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ୩ ଦଳର ହେଭିୱେଟ୍‌ ପ୍ରଚାରକ । ଆସନ୍ତା ୩୧ରେ ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବାର ସମ୍ଭାବନା ରହିଛି । ଏଥିପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୬ଟି ଜୋନ୍‌ରେ ସମାବେଶ କରାଯିବା ସହିତ ସବୁ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଧାମନଗରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଜୋରଦାର କରିଛି ଦଳ । ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କ୍ୟାମ୍ପେନ୍‌ ଚଳାଇଛନ୍ତି । ଆଗକୁ ଭଲ ମାର୍ଜିନ୍‌ରେ ଜିତିବୁ ବୋଲି ବରିଷ୍ଠ ବିଜେଡି ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ୨୦୨୦ ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଏହାର ଦୁଇବର୍ଷ ପରେ ସମାନ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ହେଉଛି ମତଦାନ । ବାଲେଶ୍ୱର ଆସନ ବିଜେପି ହାତରେ ଥିଲା । ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ତାଙ୍କ ପୁଅ ମାନସ ଦତ୍ତ ବିଜେପି ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡି ନବାଗତ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରି ବାଲେଶ୍ୱର ଆସନକୁ ହାତେଇ ନେଇଥିଲା । ଏବେ ଧାମନଗର ଉପନିର୍ବାଚନରେ ମଧ୍ୟ ବାଲେଶ୍ୱର ଭଳି ଚାଲ୍‌ ଖେଳିଛି ଦଳ । ପୁରୁଣା ମୁହଁକୁ ନ ଦେଇ ଏସ୍‌ଏଚ୍‌ଜି ସଦସ୍ୟା ତଥା ନୂଆ ମୁହଁ ଅବନ୍ତୀ ଦାସଙ୍କୁ ଦଳ ପ୍ରାର୍ଥୀ କରି ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛି । ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରେ ବିଜେଡି ସୁପ୍ରିମୋ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଥିଲେ । ଏବେ ଧାମନଗର ଉପନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ରେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଖାଲି ବିଜେଡି ନୁହେଁ, ଆସନ୍ତା ୨୭ରୁ ବିଜେପି
ମଧ୍ୟ ପ୍ରଚାରକୁ ଜୋରଦାର କରିବେ ବୋଲି ସୂଚନା ମିଳିଛି । ସେହିପରି କଂଗ୍ରେସର ହେଭିୱେଟ୍‌ ମଧ୍ୟ ପ୍ରଚାରରେ ସାମିଲ ହେବାକୁ ଯାଉଛନ୍ତି । ଯାହା ହେଉ ପ୍ରଚାରରେ ଦୁଲୁକୁଛି ଧାମନଗର । ନିର୍ବାଚନ ମଣ୍ଡଳୀ ସାରା ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି । ଆଉ ଆଗକୁ ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ ଦେଖିବାକୁ ମିଳିବ । ଆଜି ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସ୍ୱଚ୍ଛ ଓ ନିରପେକ୍ଷ ଭୋଟଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଉପନିର୍ବାଚନରେ ଚାରି ପ୍ଲାଟୁନ୍‌ ସିଆରପିଏଫ୍‌, ୨୦ ପ୍ଲାଟୁନ୍‌ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ୍‌ ମୁତୟନ ହେବେ । ଏହି ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସ୍‌ପି ଉପସ୍ଥିତ ଥିଲେ । ଇସିଆଇଙ୍କ ଗାଇଡ୍‌ଲାଇନ୍‌ ଅନୁପାଳନକୁ ଗୁରୁତ୍ୱ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.