ବଢିଲା ନୂଆ ନମ୍ବର ପ୍ଲେଟ୍‌ ଅବଧି

0 69

କଟକ, ୨୯ା୧୦(ଡିକେ ନ୍ୟୁଜ): ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ମିଳିବ । ସେହିପରି ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ ୨୦୨୩ ଫେବ୍ରୁଆରୀ ୨୮ପର୍ଯ୍ୟନ୍ତ ସମୟ ମିଳିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ବଢିଲା ନୂଆ ନମ୍ବର ପ୍ଲେଟ୍‌ ଅବଧି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏନେଇ ଗତ ଜୁନ୍‌ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା । କିନ୍ତୁ ଏହା
ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍‌ ରିଲିଜ ଜାରି କରିଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ଅନଲାଇନ୍‌ ପୋର୍ଟାଲ ସିଆମ୍‌ ଡଟ୍‌ ଇନ୍‌ରେ ବୁକିଂ କରିହେଉଥିଲା । ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍‌ ସୁବିଧା ନଥିବାରୁ ଏବଂ ଅନଲାଇନ୍‌ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ । ଏପରିକି ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲା ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ଥିଲା । ଏହାକୁ ନେଇ ଟେନ୍‌ସନ୍‌ ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା । ଗାଡ଼ି ମାଲିକମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ମୋ ସେବା କେନ୍ଦ୍ରରେ ଏଥିପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛନ୍ତି । ଏଯାଏ ବୁକିଂ ସୁବିଧା କେବଳ ଅନ୍‌ଲାଇନ୍‌ ପୋର୍ଟାଲରେ ଉପଲବ୍ଧ ଥିଲା । ଏବେ ଲୋକଙ୍କ ପାଇଁ ଏହାକୁ ସହଜ କରିବା ପାଇଁ ମୋ ସେବା କେନ୍ଦ୍ରକୁ ବ୍ୟବହାର କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର (ଓସିଏସି)କୁ ଏ ନେଇ ଅନୁରୋଧ କରିଛି । ସେହି ଅନୁଯାୟୀ ଓସିଏସି ଏହି ସୁବିଧାକୁ ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ଉପଲବ୍ଧ କରାଇଛନ୍ତି । ଇଣ୍ଟରନେଟ୍‌ ସୁବିଧା ପର୍ଯ୍ୟାପ୍ତ ନ ଥିବା ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏହା ସାହାଯ୍ୟ କରିବ । ଏହାବ୍ୟତୀତ ରାଜ୍ୟ ପରିବହନ ବିଭାଗ ସମସ୍ତ ଓଇଏମ୍‌ (ଯାନ ନିର୍ମାତା)ଙ୍କୁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ିମାଲିକମାନଙ୍କୁ ନମ୍ବର ପ୍ଲେଟ୍‌ ବୁକିଂ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆରଟିଓ ଓ ଏଆରଟିଓ କାର୍ଯ୍ୟାଳୟ (୩୮ଟି ଅଫିସ୍‌) ରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ହେଲପ୍‌ ଡେସ୍କ ଖୋଲାଯାଇଛି । ଓଇଏମାନଙ୍କୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଥବା ଅସ୍ଥାୟୀ ଫିଟମେଣ୍ଟ ସେଣ୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ଓଇଏମ୍‌ ଡିଲର ନେଟୱାର୍କ ଉପଲବ୍ଧ ନାହିଁ, ସେଠାରେ ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ଓଇଏମଗୁଡ଼ିକ କ୍ୟାମ୍ପ ଫିଟମେଣ୍ଟ ସେଣ୍ଟର ଅଥବା ଅସ୍ଥାୟୀ ଫିଟମେଣ୍ଟ ସେଣ୍ଟର ଖୋଲିଛନ୍ତି ।

Leave A Reply

Your email address will not be published.