ଭୁବନେଶ୍ୱର, ୩୦ା୧୦ (ଡିକେ ନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ଲଢେ଼ଇ । କ୍ୟାମ୍ପେନ୍ ସରିବାକୁ ଆଉ ଦୁଇଦିନ ବାକି । ଭୋଟ ହାତେଇବା ପାଇଁ ସବୁ ଦଳ ଲାଗିପଡ଼ିଛନ୍ତି । ଦିନରାତି ଏକ କରି କିଭଳି ଭୋଟରଙ୍କୁ ଆକୃଷ୍ଟ କରିବେ ସେଥିପାଇଁ ଲାଗିପଡ଼ିଛନ୍ତି ପ୍ରାର୍ଥୀ ଓ ହେଭିୱେଟ୍ । ବିଜେଡି ପ୍ରାର୍ôଥନୀ ଅବନ୍ତୁ ଦାସଙ୍କ ପାଇଁ କାଲି ଭର୍ଚୁଆଲରେ ପ୍ରଚାର କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଲଇଡି ମାଧ୍ୟମରେ ଜନସାଧାରଣ ନବୀନଙ୍କ ଅଭିଭାଷଣ ଶୁଣିବେ । ଏଥିପାଇଁ ଧାମନଗର ବ୍ଲକ୍ର ୯ଟି ସ୍ଥାନ ଓ ତିହିଡି ବ୍ଲକ୍ର ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ପୂରା ପ୍ରସ୍ତୁତିରେ ନେତା ଲାଗିପଡ଼ିଥିବା ବେଳେ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଆଜି ତିହିଡି ବ୍ଲକ୍ର ୬ନଂ ଜୋନ୍ରେ କ୍ୟାମ୍ପେନ୍ କରିଛନ୍ତି ବିଜେଡିର ହେଭିୱେଟ୍ ନେତା ଓ ଷ୍ଟାର ପ୍ରଚାରକ । ରୋଡ୍ ଶୋ’ ଓ ବାଇକ୍ ଶୋଭାଯାତ୍ରା କରି ବିଜେଡି ପ୍ରାର୍ଥିନୀ ଅବନ୍ତୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି । ସେହିପରି ୬ଟି ପଞ୍ଚାୟତରେ ପଥପ୍ରାନ୍ତ ସଭା ସହିତ ଧାମନଗର ଏନ୍ଏସିରେ ଦଳୀୟ ନେତାମାନେ ଭୋଟ୍ଭିକ୍ଷା କରିଛନ୍ତି । ଏହି ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବ ବୋଲି ବରିଷ୍ଠ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ହେବ । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ଶେଷ ପର୍ଯ୍ୟାୟରେ ଭୋଟ୍ ହାତେଇବା ପାଇଁ ସବୁ ଦଳ ଦିନରାତି ଏକ କରି ଏବେ ଲାଗିପଡ଼ିଛନ୍ତି । ଜନସେବା ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସବୁବେଳେ ରାଜ୍ୟବାସୀଙ୍କ ଆଶୀର୍ବାଦ ମିଳିଛି । ନବୀନ ବାବୁଙ୍କୁ ଓଡ଼ିଶାବାସୀ ପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଏହା ପ୍ରମାଣିତ କରିଛନ୍ତି । ପୂର୍ବରୁ ନିର୍ବାଚନୀ ମାହୋଲ୍ ଯାହା ଥିଲେ ବି ବିଜେଡି ସୁପ୍ରିମୋଙ୍କ ପ୍ରଚାର ପରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯିବା ଦେଖାଯାଇଛି । ନବୀନଙ୍କ ପ୍ରଚାର ସମୟରେ ଜନସମୁଦ୍ର ସୃଷ୍ଟି ହୁଏ । ୨୦୧୯ ପରେ ରାଜ୍ୟରେ ଯେତେ ଉପନିର୍ବାଚନ ହୋଇଛି, ସବୁଥିରେ ବିଜେଡି ପ୍ରାର୍ଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ବାଲେଶ୍ୱର ପରି ଧାମନଗରରେ ମଧ୍ୟ ବିଜେପି ଗଡ଼କୁ ବିଜେଡି ଦଖଲ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।