୮୫ ସହରରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ସେତୁ ସାଜିଛନ୍ତି ଜଳସାଥୀ: ମୁଖ୍ୟମନ୍ତ୍ରୀ

0 73

ଭୁବନେଶ୍ୱର, ୨ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନ୍‌ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟାତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ୱାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ ଏବଂ ତୃତୀୟ ଲିଙ୍ଗର ଭଉଣୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି । ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରି·ଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ୱ କରୁଛନ୍ତି । ୩ ବର୍ଷ ତଳେ ୫- ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରି·ଳନା କରୁଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରି·ଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ୱାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ । ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ସହରାଞ୍ଚଳରେ ରାଜସ୍ୱ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କର ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା । ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ୱାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକମାନେ ଉକ୍ରୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମା’ ମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାତନନ ସ୍ୱାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି । ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ । ବିଭାଗୀୟ ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.