ଏସିଆ ପାଇଁ ଅକ୍ଟୋବର ଅଶୁଭ

0 66

ଭୁବନେଶ୍ୱର, ୨ା୧୧ (ଡିକେ ନ୍ୟୁଜ୍‌): ଏସିଆ ପାଇଁ ଅଶୁଭ ଅକ୍ଟୋବର । ଏହି ଅକ୍ଟୋବର ମାସରେ ଘଟିଯାଇଛି ଅନେକ ଅଘଟଣ, ଦୁର୍ଘଟଣା ଆଉ ପ୍ରାକୃତିକ ବିପର୍ଯ୍ୟୟ । ଏହି ମହାଦେଶର ଚାରୋଟି ଦେଶରେ ୪ ହୃଦୟ ବିଦାରକ ଘଟଣା ଏବେ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି । ୪୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଛି । ଅକ୍ଟୋବର ପହିଲାରେ ଶ୍ମଶାନ ପାଲଟିଥିଲା ଇଣ୍ଡୋନେସିଆର ଫୁଟବଲ ଷ୍ଟାଡିୟମ । ସେଠାରେ ପରାଜୟରୁ ଆରମ୍ଭ ହୋଇଥିଲା ହିଂସା । କୁରୁକ୍ଷେତ୍ର ପାଲଟିଥିଲା ଖେଳିପଡ଼ିଆ । ଖେଳାଳି ଓ କ୍ରୀଡ଼ା ଅଧିକାରୀଙ୍କ ଉପରକୁ ଫୁଟବଲ ଫ୍ୟାନ୍‌ଙ୍କ ଆକ୍ରମଣ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ବିଗାଡି ଦେଇଥିଲା । ଦଳାଚକଟାରେ ୧୭୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଥିଲା । ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ । ଅକ୍ଟୋବର ୨୯ । ଦକ୍ଷିଣ କୋରିଆରେ ମଉଜ ଆଣିଥିଲା ମୃତ୍ୟୁର ତାଣ୍ଡବ । ରାଜଧାନୀ ସିଓଲରେ ହେରୋଇନ୍‌ ଉତ୍ସବ ପାଳନ ବେଳେ ହୋଇଥିଲା ଦଳାଚକଟା । ଏହି ଉତ୍ସବସ୍ଥଳୀକୁ ଏକ ସଂକୀର୍ଣ୍ଣ ଗଳି ଥିଲା । ଏହି
ସଂକୀର୍ଣ୍ଣ ଗଳିରେ ରୁଣ୍ଡ ହୋଇଥିଲେ ଲକ୍ଷେରୁ ଊଦ୍ଧ୍ୱର୍ ଲୋକ । କେହି ସେଲିବ୍ରିଟି ଆସିଥିବା ଖବର ବ୍ୟାପିଯାଇଥିଲା । ଆଉ ଧାଁ ଦଉଡରୁ ଉପୁଜିଥିଲା ଦଳାଚକଟା ସ୍ଥିତି । ଭିଡ ନିୟନ୍ତ୍ରଣରେ ପୋଲିସ ବିଫଳ ହୋଇଥିଲା । ଚାହୁଁ ଚାହୁଁ ଉତ୍ସବ ସ୍ଥଳ ପାଲଟିଥିଲା ଶ୍ମଶାନ । ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଦଳାଚକଟା ସହ କିଛି ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା ଓ ଶତାଧିକ ଆହତ ହୋଇଥିଲେ । ସେହି ଅକ୍ଟୋବର ୨୯ ତାରିଖରେ ଫିଲିପାଇନ୍ସରେ ତାଣ୍ଡବ ରଚିଥିଲା ପ୍ରକୃତି । ବିପର୍ଯ୍ୟୟ ଆଣିଲା ଅତି ଭୀଷଣ ସାମୁଦ୍ରିକ ଝଡ଼ । ପବନ, ବର୍ଷା ଆଉ ବନ୍ୟାରେ ବୁଡ଼ିଥିଲା ଫିଲିପାଇନ୍ସ । ଏଥି ସହିତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଥିଲା । ଦକ୍ଷିଣ ଫିଲିପାଇନ୍ସକୁ ଏହି ସାମୁଦ୍ରିକ ଝଡ଼ ସମ୍ପୂର୍ଣ୍ଣ ରୂପେ ଛାରଖାର କରିଦେଇଥିଲା । ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ପାଣି, କାଦୁଅ ଭିତରୁ ଖୋଜା ଚାଲିଛି ମୃତଦେହ । ସେହିପରି ଅକ୍ଟୋବର ୩୦ ତାରିଖରେ ବଡ଼ ଅଘଟଣ ଘଟିଥିଲା ଭାରତରେ । ସିଓଲ ଭଳି ଏଠାରେ ବି ଉତ୍ସବ ଆଣିଲା ଶୋକ । ଛଟ୍‌ ପୂଜ ପାଇଁ ଗୁଜରାଟ ମୋରବିରେ ଝୁଲାପୋଲ ଉପରେ କ୍ଷମତାଠାରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା । କିଛି ଯୁବକ ଏହି ଝୁଲା ପୋଲ ଉପରେ ସେଲଫି ନେଇ ମଉଜ, ମଜଲିସ୍‌ କରୁଥିବା ବେଳେ ଠିକ୍‌ ମଝି ସ୍ଥାନରୁ ଛିଡି ପଡ଼ିଲା ଏହି ପୋଲ । ରାତିର ଅନ୍ଧାର ଭିତରେ ନଦୀରେ ଖସି ପଡ଼ିଲେ ଶତାଧିକ ଲୋକ । ମୃତ୍ୟୁସଂଖ୍ୟା ୧୪୧ରୁ ଊଦ୍ଧ୍ୱର୍ ଟପିଥିଲା । ଘଟଣାକୁ ଚାରିପାଞ୍ଚଦିନ ବିତିଥିଲେ ହେଁ ଏବେ ବି ଖୋଜା ଚାଲିଛି ମୃତଦେହ । ସେହିପରି ଅକ୍ଟୋବର ୨୫ ତାରିଖରେ ବାତ୍ୟା ସି-ତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ରଚିଥିଲା ବଙ୍ଗୋପାସଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ବାଂଲାଦେଶର ତିନିକୋଣା ଓ ସାନ୍ଦିପ ଦ୍ୱୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା । ବାତ୍ୟା ଓ ବର୍ଷାରେ ୩୫ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଥିଲା । ଉଚ୍ଚ ଜୁଆର ମାଡ଼ିଆସିବା ସହିତ ନ୍ୟୁ ଦିଘା ଓ ଦିଘା ଉପକୂଳରେ ଥିବା ଦୋକାନ ବଜାର ସମୁଦ୍ର ପାଣିରେ ବୁଡ଼ିଯାଇଥିଲା । ପ୍ରାୟ ୬ଫୁଟ୍‌ରୁ ଉଚ୍ଚ ଜୁଆର ମାଡ଼ିଆସି ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

Leave A Reply

Your email address will not be published.