ଇ-ଅଫିସ୍‌ର ଶୁଭାରମ୍ଭ ଫାଇଲ୍‌ ଚାଷରୁ ମିଳିବ ମୁକ୍ତ

0 64

ଭୁବନେଶ୍ୱର, ୩ା୧୧(ଡିକେ ନ୍ୟୁଜ): ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କଟକ ପୌର ନିଗମ (ସିଏମ୍‌ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍‌ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟ ଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଓସ୍ୱାସ୍‌ ଏବଂ ଇ-ଅଫିସ୍‌ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ । ଏହା ଅଫିସ କାର୍ଯ୍ୟଧାରାକୁ ସରଳ, ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍‌ ବୋହିବା, ମାସ ମାସ ଧରି ଫାଇଲ୍‌ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍‌ ଲୁ·ଇଦେବା, ଫାଇଲ୍‌ ହଜିବା ଏବଂ ଫାଇଲ୍‌ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି । ଇ-ଅଫିସ୍‌ ମଧ୍ୟ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍‌ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନ ପାଇଁ ଦକ୍ଷ କରିଛି । ଯେଉଁ କାର୍ଯ୍ୟାଳୟଗୁଡିକ ଓସ୍ୱାସ୍‌ ଦ୍ୱାରା ସଂଯୋଗ ହୋଇନପାରିଛି ସେ ସବୁରେ ଇ-ଅଫିସ ଶିଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସିଏମ୍‌ଜିଆଇ ଏବଂ ଏନ୍‌ଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍‌ କମ୍‌ ସମୟ ମଧ୍ୟରେ ୮୩୬ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସିଏମ୍‌ଜିଆଇର କାର୍ଯ୍ୟ ପ୍ରଶଂସନୀୟ । ଏହି ବ୍ୟବସ୍ଥା ଫାଇଲ୍‌ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଥିଲେ ଯେ ଓସ୍ୱାସ୍‌ ମାଧ୍ୟମରେ ଅଫିସ ସ୍ୱୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ ।
ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟମାନଙ୍କର ନଥିପତ୍ର ଡ଼ିଜିଟାଇଜ୍‌ଡ କରିବା ସମୟସାପେକ୍ଷ ହୋଇଥିବାରୁ ଏନ୍‌ଆଇସି ଏବଂ ସିଏମ୍‌ଜିଆଇଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍‌ କାର୍ଯ୍ୟାୟନ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଖୁବ୍‌ ସରଳ ଓ ସୁଗମ । ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ- ଅଫିସ୍‌ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଥିଲେ ଯେ ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍‌ ଉତ୍ସାହଜନକ ହୋଇଛି । ଖୁବ୍‌ଶୀଘ୍ର ଆଉ ୧୦୦ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓଏଚ୍‌ପିସିର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ନିଖିଲ ପବନ କଲ୍ୟାଣ, ଏନ୍‌ଆଇସି. ଉପ ମହାନିର୍ଦ୍ଦେଶକ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ, ସିଏମ୍‌ଜିଆଇ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।

Leave A Reply

Your email address will not be published.