ଉତ୍ତରକୋରିଆର ହୁଙ୍କାର ଏସିଆରେ ଘନେଇଲା ଯୁଦ୍ଧ ଆଶଙ୍କା

0 70

ନୂଆଦିଲ୍ଲୀ, ୩ା୧୧: ଉତ୍ତର କୋରିଆ ପୁଣି ଥରେ ଏହାର ବାଲିଷ୍ଟିକ୍‌ ମିସାଇଲ ନିକ୍ଷେପ କରିଛି । ବୁଧବାର ଦକ୍ଷିଣ କୋରିଆ ସହ ଥିବା ବିବାଦୀୟ ସାମୁଦ୍ରିକ ଅଞ୍ଚଳରେ ମିସାଇଲ ମାଡ଼ ପରେ ପୁଣି ଥରେ ଉତ୍ତର କୋରିଆ ଗୁରୁବାର ଜାପାନ ବାୟୁସୀମା ମଧ୍ୟ ଦେଇ ଏହାର ମିସାଇଲ ମାଡ଼ କରିଛି । ଆଉ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଏହି କାର୍ଯ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ହଇଚଇ । ଏହା ପରେ ଜାପାନ ସରକାର ଦେଶରେ ଜରୁରିକାଳୀନ ସତର୍କ ଜାରି କରିଛନ୍ତି । ଲୋକଙ୍କୁ ଘରେ ଭିତରେ ରହିବାକୁ ଚେତାବନୀ ଦିଆଯାଇଛି । ଏହା ପୂର୍ବରୁ ବୁଧବାର ଉତ୍ତର
କୋରିଆ, ଦକ୍ଷିଣ କୋରିଆର ବିବାଦୀୟ ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ୨୩ଟି ମିସାଇଲ ଆକ୍ରମଣ କରିଥିଲା । ଏଥିରେ ଏକ ମିସାଇଲ କୋରିଆର ସୀମାବର୍ତ୍ତୀ ଦ୍ୱୀପଠାରୁ ୨୬ କିଲୋମିଟର ଦକ୍ଷିଣରେ ଏବଂ ଦକ୍ଷିଣ କୋରିଆର ଉଲେଉଙ୍ଗ ଦ୍ୱୀପ ଠାରୁ ୧୬୭ କିଲୋମିଟର ପଶ୍ଚିମ-ଉତ୍ତରରେ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ସୀମା ନିକଟରେ ପଡ଼ିଥିଲା । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଏନେଇ ସୂଚନା ଦେଇଛନ୍ତି । ଦକ୍ଷିଣ କୋରିଆ କହିଛି ଯେ, ଉଲେଉଙ୍ଗ ଦ୍ୱୀପର ବାୟୁକ୍ଷେତ୍ରରେ ସତର୍କତା ଜାରି କରାଯାଇଛି । ୧୯୪୫ ରେ ବିଭାଜନ ପରେ ପ୍ରଥମ ଥର ବିବାଦୀୟ କ୍ଷେତ୍ରରେ ମିସାଇଲ ମାଡ଼ କରିଛି । ଉତ୍ତର କୋରିଆ ଗୋଟିଏ ଦିନ ପୂର୍ବରୁ ମିସାଇଲ ନିକ୍ଷେପ କରିଥିଲା । ଯାହାକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ-ୟୋଲ ଉତ୍ତର କୋରିଆର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.