ବେକାରୀ ନିୟନ୍ତ୍ରଣ: ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

0 70

ଭୁବନେଶ୍ୱର, ୬ା୧୧(ଡିକେ ନ୍ୟୁଜ): ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ହାର ବୃଦ୍ଧି ଦେଶବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ିଙ୍କୁ ନିଯୁକ୍ତି କେନ୍ଦ୍ର ସହ ସମସ୍ତ ରାଜ୍ୟ ସରକରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି । ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହେଲାଣି । ମାତ୍ର ସମାନ ସମୟରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହା ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଗତ ଅକ୍ଟୋବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ)ର ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ଦେଶରେ ବେକାରୀ ହାର ୭.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୧.୧ ପ୍ରତିଶତ ରହିଛି । ଖାଲି ଅକ୍ଟୋବର ମାସ ନୁହେଁ ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି । ସିଏମଆଇଇର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଟପ୍‌-୩ ରାଜ୍ୟ ମଧ୍ୟରେ ରହିଛି । ଓଡ଼ିଶାର ବେକାରୀ ହାର ୧.୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୦.୮ ପ୍ରତିଶତ ଏବଂ ଛତିଶଗଡ଼ ୦.୯ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଅକ୍ଟୋବର ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୩୧.୮ ପ୍ରତିଶତ ରେକର୍ଡ କରାଯାଇଛି । ଏହାତଳକୁ ରାଜସ୍ଥାନର ୩୦.୭ ପ୍ରତିଶତ ରହିଥିବା ବେଳେ ଜମ୍ମୁ ଓ କଶ୍ମୀରର ୨୨.୪ ପ୍ରତିଶତ ବେକାରୀ ହାର ରହିଛି । ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା । ସେହିପରି କେବଳ ଗତ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ଗତ ଜାନୁଆରୀଠାରୁ ଏଯାବତ୍‌ ଓଡ଼ିଶା ଏକ୍ଷେତ୍ରରେ ସବୁବେଳେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ କରିଆସିବା ସହ ସର୍ବନିମ୍ନ ବେକାରୀ ହାର କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଆସିଛି । ସିଏମଆଇଇର ଏହି ରିପୋର୍ଟ ଓଡ଼ିଶାର ବେକାରୀ ହ୍ରାସ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠତାକୁ ପ୍ରତିପାଦିତ କରୁଥିବା ସ୍ପଷ୍ଟ ଭାବେ ଦର୍ଶାଉଛି । ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି । ରାଜ୍ୟ ସରକାର ଯୁବବର୍ଗଙ୍କୁ ସମନ୍ୱିତ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନାମାନ ପ୍ରଣୟନ କରିଛନ୍ତି । ଯାହା ଯୁବବର୍ଗଙ୍କୁ ଅଧିକ ସୁହାଉଛି । ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ, ଶିକ୍ଷିତ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଏବଂ ତାଲିମ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଯାହାଫଳରେ ଯୁବକଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି । ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.