କଥା ଦେଇ କଥା ରଖିଲେ ନବୀନ ମିଳିବ ଜମିପଟ୍ଟା: ଭୂମିହୀନ ହେବେ ଜମି ମାଲିକ

0 71

ଭୁବନେଶ୍ୱର, ୬ା୧୧(ଡିକେ ନ୍ୟୁଜ): ସହରରେ ଖଣ୍ଡିଏ ଘର ମିଳିବାର ସ୍ୱପ୍ନ ସାକାର ହେବ । ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ । ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା । ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ଭୂମିହୀନ ଗରିବଙ୍କୁ ୩୦ ବର୍ଗ ମିଟରରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଚଳାଇଛି । ଏହାଦ୍ୱାରା ଭୁବନେଶ୍ୱରରେ ୪୩୬ଟି ବସ୍ତି ଓ କଟକରେ ୨୭୨ଟି ବସ୍ତିବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ସାକାର ହେବ । ସେହିପରି ଅନ୍ୟ ମହାନଗରରେ ମଧ୍ୟ ଅନୁରୂପ ସୁବିଧା ମିଳିବ । ମହାନଗର ଅଞ୍ଚଳରେ ଜମି ଚିହ୍ନଟ ସମୟସାପେକ୍ଷ ହୋଇଥିବାରୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଡ୍ରୋନ ଯୋଗେ ଜମି ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ । ଜମି ଚିହ୍ନଟ ପରେ ଆସନ୍ତାବର୍ଷ ସୁଦ୍ଧା ହିତାଧିକାରୀ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯିବ । ନିର୍ବାଚନ ସମୟରେ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବ । ଧୀରେ ଧୀରେ ସହରକୁ ବସ୍ତିମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ପ୍ରତ୍ୟେକ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ । କଲୋନୀରେ ପିଲାଙ୍କ ପାଇଁ ଖେଳ ପଡ଼ିଆ, ପରିମଳ ବ୍ୟବସ୍ଥା, ଚିକ୍କଣ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଓ ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ରହିବ । ରାଉରକେଲାରେ ଥିବା ୨୭୭ଟି ବସ୍ତିରୁ ୮୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ମହାନଗରରେ ସହରର ଆବାସ ସ୍ଥଳ ଓ ବିଭିନ୍ନ ସମସ୍ୟା ଥିବା ଯୋଗୁ ଜାଗା ମିଶନ ଯୋଜନା ଲାଗୁ ହୋଇପାରିନଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜାଗା ମିଶନରେ ମହାନଗର ନିଗମକୁ ସାମିଲ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ମହାନଗରର ବସ୍ତିବାସିନ୍ଦା ମାଗଣା ଜମି ପାଇବା ପଥ ପରିଷ୍କାର ହୋଇଛି । ରାଜ୍ୟରେ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ପରିଷଦ ମିଶି ୧୧୫ଟି ରହିଛି । ସେଥିରୁ ୪୮ଟି ପୌରପାଳିକା, ୬୨ଟି ବିଜ୍ଞାପିତ ପରିଷଦରେ ୨ ହଜାର ୯୧୯ଟି ବସ୍ତିର ଅଧିବାସୀଙ୍କ ପାଇଁ ଜାଗା ମିଶନ ଲାଗୁ ହୋଇଛି । ପୂର୍ବରୁ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ସାମିଲ କରାଯାଇନଥିଲା । ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର
ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହେଉଛନ୍ତି । ମହାନଗର ନିଗମକୁ ଛାଡ଼ି ଜାଗା ମିଶନରେ ଜମି ପାଇବା ପାଇଁ ୧ ଲକ୍ଷ ୭୨ ହଜାର ୬୫୬ ପରିବାର ପଞ୍ଜିକୃତ ହୋଇଛନ୍ତି । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣପତ୍ର ବା ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି । ଅକ୍ଟୋବର ୭ ତାରିଖ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତିବାନ୍‌ ଜମି ପଟ୍ଟା ପ୍ରଦାନ କରାଗଲାଣି । ସେହିପରି ଆପତ୍ତିଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଜାଗା ମିଶନର ତଥ୍ୟ ଅନୁଯାୟୀ ଏବେସୁଦ୍ଧା ୯୨ ହଜାର ୧୦୧ଜଣ ହିତାଧିକାରୀଙ୍କୁ ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ବଣ୍ଟନ ହୋଇଛି । ଏସବୁ ହିତାଧିକାରୀଙ୍କୁ ମଧ୍ୟ ଆବାସ ଯୋଜନା ସହିତ ସାମିଲ କରାଯାଇଛି । ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ନଥିବା ବର୍ଗର ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚ୍‌ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ଏହାସହିତ ପୌର ପରିଷଦରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ । ବିଜ୍ଞାପିତ ପରିଷଦରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ହିତାଧିକାରୀଙ୍କୁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ସହରାଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁ ଜମ ଓ ଘର ପାଇବା ଆହୁରି ସହଜ ହୋଇଛି । ଜମି ପାଇବା ସହିତ ଆବାସ ଯୋଜନାରେ ଘର କରିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି । ଯେଉଁଥି ପାଇଁ ନିକଟରେ ଗୁଜୁରାଟର ରାଜକୋଟରେ ଅର୍ବାନ ହାଉସିଂ କନ୍‌କ୍ଲେଭ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି । ଏ ସମ୍ପର୍କରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ୱରରେ ଘର ଖଣ୍ଡିଏ ଓ ଜମି ଖଣ୍ଡିଏ ପାଇବା ପାଇଁ ବହୁ ଦିନରୁ ଗରିବ ଭୂମିହୀନମାନେ ସ୍ୱପ୍ନ ଦେଖିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝିଛନ୍ତି । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଯାଉଛନ୍ତି । କଟକ ମହାନଗର ନିଗମ ମେୟର ସୁବାସ ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଯୋଜନା ବିଶ୍ୱରେ ଅନନ୍ୟ । କୌଣସି ରାଜ୍ୟ ସରକାର ଗରିବଙ୍କୁ ଏପରି ଉଦାରତା ଦେଖାଇନାହାନ୍ତି । ଏଣିକି ମହାନଗର ନିଗମରେ ସ୍ଥାୟୀ ଜମି ପଟ୍ଟା ବଣ୍ଟନ ହେଲେ ସରକାରଙ୍କ ଗରିବଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ହେବ । ଅପରପକ୍ଷରେ ଗଞ୍ଜାମର ହିଞ୍ଜିଳିକାଟୁ ପୌରପାଳିକା ଓ ଦିଗପହଣ୍ଡି ବିଜ୍ଞପିତ ପରିଷଦ ସମ୍ପୂର୍ଣ୍ଣ ଭାବେ ବସ୍ତିମୁକ୍ତ ହୋଇ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଛି । ଫଳରେ ହିଞ୍ଜିଳିକାଟୁରେ ପାନୀୟ ଜଳ ସୁବିଧା ସହ ଆଦର୍ଶ କଲୋନୀରେ ରାସ୍ତା, ଆଲୋକୀକରଣର ସୁବିଧା ପାଇଛନ୍ତି ୩୫୦ ପରିବାର । ୧୦ ତାରିଖ ଦିନ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ମିଳିଛି । ବସ୍ତିବାସିନ୍ଦାଙ୍କୁ ୯ଟି ମୌଳିକ ସେବା ଯୋଗାଇ ଦିଆଯିବା ନେଇ ପୂର୍ବରୁ ସର୍ଭେ କରାଯାଇଥିଲା । ସମସ୍ତ ପ୍ରକାର ସେବା ଯୋଗାଇବାରେ ହିଞ୍ଜିଳିକାଟୁ ପୌର ପରିଷଦ ସକ୍ଷମ ହୋଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ହିଞ୍ଜିଳିକାଟୁ ପୌର ପରିଷଦ ବାସିନ୍ଦା । ସେହିପରି ରାଉରକେଲାରେ ଧୀରେ ଧୀରେ ସମସ୍ତ ବସ୍ତିକୁ ସହର ସୁବିଧା ଯୋଗାଇ ଦିଆଯିବ । ଆଉ ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.