ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ

0 60

ଭୁବନେଶ୍ୱର, ୧୦ା୧୧ (ଡିକେ ନ୍ୟୁଜ୍‌): ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ । ବଳଗଣ୍ଡିରୁ ବଡ଼ଦାଣ୍ଡରେ ଚାଲି ଚାଲି ଗଲେ ବଡ଼ଦେଉଳ । ଭାବବିହ୍ୱଳ ହେଲେ, ହାତଟେକି ପ୍ରଣାମ କଲେ । ଅରୁଣସ୍ତମ୍ଭ ଛୁଇଁବା ସହ ତୁଳସୀ ମାଳ ଓ ଦୀପ ଜଳାଇ ମାଗିଲେ ଆଶିଷ । ରାଷ୍ଟ୍ରପତି ପଦ ମଣ୍ଡନ ପରେ ଏହା ହେଉଛି ତାଙ୍କର ପ୍ରଥମ ଶ୍ରୀଜୀଉ ଦର୍ଶନ । ପୂର୍ବାହ୍ନ ୧୧.୪୦ ମି. । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ହେଲିକାପ୍ଟର ଯୋଗେ ସିଧା ପୁରୀ ତାଳବଣିଆରେ ପହଞ୍ôଚଥିଲେ ରାଷ୍ଟ୍ରପତି । ସେଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ମହାମହିମ ବାହାରିଥିଲେ ଶ୍ରୀମନ୍ଦିର ଅଭିମୁଖେ । ପ୍ରୋଟୋକଲ ଭାଙ୍ଗି କାରକେଡ୍‌ ଛାଡ଼ି ପଦ ପଦବୀର ସୁରକ୍ଷାକୁ ତୁଚ୍ଛ କରି ରାଷ୍ଟ୍ରପତି ପହଞ୍ôଚଥିଲେ ଶ୍ରୀମନ୍ଦିର ସମ୍ମୁଖରେ । ସେଠାରେ ଗଜପତି ମହାରାଜା ତାଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରିଥିଲେ । ପରେ ଅରୁଣସ୍ତମ୍ଭକୁ ପ୍ରଣିପାତ କରିବା ସହ କୌଳିକ ପଣ୍ଡାଙ୍କ ସହ ଅଧଘଣ୍ଟା ଯାଏ ପୂଜାର୍ଚ୍ଚନା କରିଥିଲେ । ମାଟିର ଝିଅ ପ୍ରଥମ ନାଗରିକ ହେବା ପରେ ପ୍ରଥମଥର ଜନ୍ମମାଟିକୁ ଆସିଛନ୍ତି । ତାଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା । ବଡ଼ଦାଣ୍ଡରେ ଚାଲି ଚାଲି ଗଲାବେଳେ ରାସ୍ତାର ଉଭୟପାଶ୍ୱର୍ରେ ଜମିଥିଲା ଖଚାଖଚ୍‌ ଭିଡ଼ । ହାତ ହଲାଇ ନମ୍ର ଭାବେ ଖୁବ୍‌ ଜୋସ୍‌ରେ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି । ଏପରିକି ଛାତ୍ରଛାତ୍ରୀଙ୍କ ସହ ସେ ଫଟୋ ବି ଉଠାଇଥିଲେ । ଦର୍ଶନ କରି ଫେରିବା ପରେ ସେବାୟତଙ୍କ ପକ୍ଷରୁ ଶ୍ରୀଜୀଉଙ୍କ ପଟ୍ଟଚିତ୍ର ମହାମହିମଙ୍କୁ ପ୍ରଦାନ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ସେ ଖୁବ୍‌ ଖୁସି ବୋଲି ସେ କହିଥିଲେ । ଶ୍ରୀମନ୍ଦିର ନିକଟରେ ଥିବା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବରପୁତ୍ରଙ୍କ ଆଶୀର୍ବାଦ ନେଇଥିଲେ । ସେଠାରୁ ସିଧାସଳଖ ପୁରୀ ରାଜଭବନ ଯାଇ ମହାପ୍ରସାଦ ସେବନ କରିଥିଲେ । ତଳେ ବସି କଦଳୀ ପତ୍ରରେ ଗଜପତିଙ୍କ ସହ ମହାପ୍ରସାଦ ସେବନ କରିଥିଲେ ମହାମହିମ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସକାଳ ପ୍ରାୟ ୧୦.୫୦ମି.ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ôଚଥିଲେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜି ସୁନିଲ ବଂଶଲଙ୍କ ସମେତ ଅନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ୱାଗତ କରି ପାଚ୍ଛୋଟି ଆଣିବା ପରେ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ରାଜଧାନୀରୁ ପୁରୀ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରରେ ୩୪ ପ୍ଳାଟୁନ୍‌, ପୁରୀରେ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ । ପୁରୀ ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ôଚବା ପରେ ଲୋକଙ୍କ ନାଚଗୀତରେ କମ୍ପି ଉଠିଥିଲା ଏୟାର ପୋର୍ଟରୁ ରାଜଭବନ ରାସ୍ତା । ପରେ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ୮ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆସନ୍ତାକାଲି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମହାମହିମ ଦିଲ୍ଲୀ ଫେରିଯିବେ ।

Leave A Reply

Your email address will not be published.