ଏଣିକି ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା

0 70

ଭୁବନେଶ୍ୱର, ୧୧ା୧୧(ଡିକେ ନ୍ୟୁଜ): ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆରେ ଇଞ୍ଜିନିୟରିଂ ବହି ପଢ଼ିବେ । ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରିରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛି । ପାଠ୍ୟପୁସ୍ତକଗୁଡ଼ିକର ଅନୁବାଦ ସମ୍ପୂର୍ଣ୍ଣ ଓଡ଼ିଆରେକରାଯାଇଥିବା ବେଳେ ସମ୍ପୃକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ରାଷ୍ଟ୍ରପତି ଆଜିଲୋକାର୍ପିତ କରିଛନ୍ତି । ଜୟଦେବଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ପୁସ୍ତକସମୂହକୁ ଉନ୍ମୋଚନ କରିବା ସହ କହିଛନ୍ତିମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ଥାଏ । ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ କିଛି ଅସୁବିଧା ହେବ ନାହିଁ । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା । ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ତାହା ବି ଦେଖିବା । ଆଜି ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି । ରାଜ୍ୟରେ ଇଞ୍ଜିନିୟରିଂ ପାଠପଢ଼ାର ଓଡ଼ିଆ ମାଧ୍ୟମକୁ ଏଆଇସିଟିଇ ଓ ସିଏସ୍‌ଟିଟିର ଅବଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଶିକ୍ଷା କ୍ଷେତ୍ରରେ ଏହା ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏଥି ସହିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍‌ “ଇ-କୁମ୍ଭ’ର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିର ଅଧ୍ୟକ୍ଷ ଏବଂ ଅବସର ବେଉରିଆ ପ୍ରମୁଖ ଯୋଗଦେଇଥିଲେ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ । ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳର ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ । ବିଗତ ବର୍ଷ ଜାନୁଆରୀରୁ ଅନୁବାଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ପୁସ୍ତକର ପରିଭାଷା ଦୁଇ ମାସ ଭିତରେ ପ୍ରସ୍ତୁତ କରାଯାଇଥିଲା । ପରିଭାଷାକୁ ଆଧାର କରି ୯ଟି ଇଞ୍ଜିନିୟରିଂ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡିଗ୍ରୀ ବହି ଓ ୧୧ଟି ଡିପ୍ଲୋମା ବହି ଅନୁବାଦ କରାଯାଇଥିଲା । ଏଥିପାଇଁ ୬ ମାସ ସମୟ ଲାଗିଥିଲା । ୩ଟି ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ୬ଟି ବେସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ବହିକୁ ଅନୁବାଦ କରିଥିଲେ । ଏହି ବହି ଗୁଡ଼ିକୁ ଉନ୍ମୋଚନ ପରେ ସବୁ ଡିଗ୍ରୀ ଓ ଡିପ୍ଲୋମା କଲେଜକୁ ଦିଆଯିବ । ଛାତ୍ରଛାତ୍ରୀ ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ।

Leave A Reply

Your email address will not be published.