ଶିକ୍ଷା ରୂପାନ୍ତରଣରେ ଆଉ ଏକ ବିପ୍ଳବ ନିଯୁକ୍ତି ପାଇବେ ୭୫୪୦ ହାଇସ୍କୁଲ ଶିକ୍ଷକ

0 67

ଭୁବନେଶ୍ୱର, ୧୧ା୧୧(ଡିକେ ନ୍ୟୁଜ): ଶିକ୍ଷା ରୂପାନ୍ତରଣରେ ଆଉ ଏକ ବିପ୍ଳବ । ଅଧିକ କ୍ରିୟାଶୀଳ ହେବ ଶିକ୍ଷାଦାନ । ସରକାରୀ ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଯୁବକ- ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଫ ଶିକ୍ଷାର ରୂପାନ୍ତରଣ ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ଅଧିକ କ୍ରିୟାଶୀଳ କରିବ । ସୋସିଆଲ୍‌ ମିଡିଆରେ ଏନେଇ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ସୂଚନା ଦେଇଛନ୍ତି । ନୂତନ ଶିକ୍ଷକ ନିଯୁକ୍ତି ନେଇ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାର ଗତବର୍ଷ ୧୩ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଚଳିତବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ମେଗା ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର । ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରି ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଳିଷ୍ଠ ଉଦ୍ୟମ । ଏହି କ୍ରମରେ ଚଳିତ ବର୍ଷ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି । ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ । ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍‌), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟମାନଙ୍କରେ ନିଯୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି । କମ୍ପ୍ୟୁଟର, ଇଣ୍ଟରନେଟଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି । ୫- ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି । ଗତ କିଛିବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ଗତ ଅକ୍ଟୋବରରେ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟରେ ଠିକା ନିଯୁକ୍ତିର ଯୁଗ ଶେଷ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମିତ ହୋଇଛନ୍ତି ୫୭ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ।

Leave A Reply

Your email address will not be published.