ଜ୍ୟାକଲିନଙ୍କୁ ମିଳିଲା ଜାମିନ

0 75

ନୂଆଦିଲ୍ଲୀ, ୧୫ ।୧୧: କୋର୍ଟରେ ହାଜର ହେବା ପରେ ନିୟମିତ ଜାମିନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ । ୨୦୦ କୋଟି ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଶୈଳନ୍ଦ୍ର ମଲିକ ତାଙ୍କୁ ବ୍ୟକ୍ତଗତ ୫୦ ହଜାର ଟଙ୍କାର ବଣ୍ଡ ଓ ସମାନ ପରିମାଣର ଗୋଟି ସିକ୍ୟୁରିଟି ବଳରେ ଜ୍ୟାକଲିନଙ୍କୁ ଜାମିନ ଦେଇଛନ୍ତି । ପୂର୍ବରୁ କୋର୍ଟ ତାଙ୍କୁ ଏହି ମାମଲାରେ ଅନ୍ତରୀଣ ଜାମିନ ଦେଇଥିଲେ । ମଙ୍ଗଳବାର ଏହାର ଅବଧି ଶେଷ ହେଉଥିବାରୁ ଜ୍ୟାକଲିନ ନିଜ ଲିଗାଲ ଟିମ ସହ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ । ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି । ଏହାପୂର୍ବରୁ ଇଡି ଜ୍ୟାକଲିନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା । କିନ୍ତୁ ପ୍ରତିପପକ୍ଷ ଓକିଲ କହିଥିଲେ ଯେ ଜ୍ୟାକଲିନଙ୍କୁ ଗିରଫ କରିବାର କୌଣସି ଆବଶ୍ୟକ ନାହିଁ । କାରଣ ୨୦୦ କୋଟି ଠକେଇ ମାମଲାରେ ଇଡି ତଦନ୍ତ କରି ଚାର୍ଜଶିଟ ଓ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରି ସାରିଛି । ପ୍ରଥମ ଚାର୍ଜଶିଟରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ନଥିଲେ । ଏଥିରେ କେବଳ ମହାଠକ ସୁକେଶ ଓ ତା’ର ପତ୍ନୀର ନାଁ ରହିଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ମହାଠକ ସୁକେଶ ପ୍ରେମରେ ଜ୍ୟାକଲିନ ପଡ଼ିଥିଲେ । ସୁକେଶ ଠକାମୀରୁ ପାଇଥିବା ଅର୍ଥକୁ ବ୍ୟବହାର କରି ଜ୍ୟାକଲିନଙ୍କୁ ଦାମୀ ଉପହାର ମଧ୍ୟ ଦେଇଥିଲା ବୋଲି ଇଡି କହିଥିଲା । ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ପାଇବା ପରେ ବିଚାରପତି ଶୈଳେନ୍ଦ୍ର ମଲିକ ଅଗଷ୍ଟ ୩୧ରେ ଜ୍ୟାକଲିନଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ ।

Leave A Reply

Your email address will not be published.