କମ୍ପୁଛି ପଦ୍ମପୁର ମୈଦାନ ନାମାଙ୍କନ ପୂର୍ବରୁ ବିଜେଡିର ଶକ୍ତି ପ୍ରଦର୍ଶନ

0 68

ଭୁବନେଶ୍ୱର, ୧୫ା୧୧ (ଡିକେ ନ୍ୟୁଜ୍‌): ଉପନିର୍ବାଚନ ପାଇଁ କମ୍ପୁଛି ପଦ୍ମପୁର । ସରଗରମ ହେଲାଣି ରାଜନୈତିକ ବାତାବରଣ । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ହେଭିୱେଟ୍‌ ନେତା ଓ କର୍ମୀଙ୍କ ଗହଣରେ ହୋଇଥିଲା ସମାବେଶ । ପ୍ରାର୍ଥୀ ବର୍ଷା ସିଂ ବରିହା ଦୁଦୁଲାବାହାଲ ସମାବେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଥିଲେ । ସର୍ଗିପାଲି ସଭାମଞ୍ଚରେ ବାପା ବିଜୟ ରଞ୍ଜନ ସିଂ ବରିହାଙ୍କୁ ମନେ ପକାଇ ବର୍ଷା କାନ୍ଦି ପକାଇଥିଲେ । କୋହଭରା କଣ୍ଠରେ ଭୋଟରଙ୍କ ସମର୍ଥନ ଲୋଡିଥିଲେ । ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ । ଏହି ସଭାରେ ବର୍ଷା କହିଛନ୍ତି, ତାଙ୍କ ରକ୍ତ ପଦ୍ମପୁର ମାଟିର । ସେ ଏଠାରେ ପଢ଼ିଛନ୍ତି ଓ ବଢ଼ିଛନ୍ତି । ପଦ୍ମପୁରର ବିକାଶ ଧାରାକୁ ଆଗେଇ ନେବେ । ଆସନ୍ତାକାଲି ସେ ପ୍ରାର୍ଥିପତ୍ର ଦାଖଲ କରିବେ । ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଗାଁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି ବର୍ଷା । ବିଭିନ୍ନ ସ୍ଥାନରେ ବୈଠକ ସହ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟି ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ଆସନ୍ତା ୫ ତାରିଖରେ ହେବ ବରଗଡ଼ ଉପନିର୍ବାଚନ । ସେଠାରେ ଦେଖିବାକୁ ମିଳିବ ହାଇ ଭୋଲଜେଟ୍‌ ଲଢେ଼ଇ । ମୈଦାନ ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ । ନାମାଙ୍କନ ଦାଖଲ ପରେ ଜମିବ ପ୍ରଚାର । ସତୀଭଟାରେ ଆୟୋଜିତ ସମ୍ମିଳନୀରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିର ଚାଷୀକାର୍ଡ ବୁଝିପାରି ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ପାଇକମାଳ ବ୍ଲକ୍‌ରେ ବିଜେଡି ମଧ୍ୟ ଜୋରଦାର ପ୍ରଚାର କରିଛି । ବଡ଼ତୁଣ୍ଡା ଗାଁ ଏକ ନମ୍ବର ଜୋନ୍‌ରେ ବିରାଟ କର୍ମୀ ସମାବେଶ ହୋଇଥିଲା । ଦଳର ବରିଷ୍ଠ ମନ୍ତ୍ରୀଙ୍କ ସହ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସମ୍ପର୍କରେ ବୁଝାଇଥିଲେ ବର୍ଷା । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରିବା ପରେ ଚାଷୀକୂଳରେ ମଧ୍ୟ ଉତ୍ସାହ ଦେଖାଦେଇଛି । ବିଜେଡି ବର୍ଷାଙ୍କୁ ପ୍ରାର୍ଥୀ କରିବା ପରେ ସାରା ପଦ୍ମପୁରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ସବୁ ସଭାରେ ଲୋକଙ୍କ ସମାଗମ ଓ ସମର୍ଥନ ଏହା ପ୍ରମାଣିତ କରିଛି ଯେ, ଲୋକଙ୍କ କେବଳ ଭରସା ଓ ବିଶ୍ୱାସ ହେଉଛି ବିଜୁ ଜନତା ଦଳ ।

Leave A Reply

Your email address will not be published.