ସଭା ହେଉ କି ରୋଡ୍‌ ଶୋ’ ମିଳୁଛି ଜବରଦସ୍ତ କ୍ରେଜ୍‌ ବର୍ଷାଙ୍କ ଆଖିରେ ଲୁହର ବନ୍ୟା

0 64

ଭୁବନେଶ୍ୱର, ୧୮ା୧୧ (ଡିକେ ନ୍ୟୁଜ୍‌): ପଦ୍ମପୁର ବିକାଶର ସାରଥୀ ଥିଲେ ବିଜୟ ରଞ୍ଜନ ସିଂ ବରିହା । ତାଙ୍କ ପରେ ମୈଦାନରେ ଝିଅ ବର୍ଷା । ବାପାଙ୍କ ଜାଗାରେ
ନିଜକୁ ଦେଖି ସେ କୋହ ସମ୍ଭାଳି ପାରୁନାହାନ୍ତି । ଦିନେ ବାପା ସଭା ମଞ୍ଚ ଉପରୁ ଜନସେବାର ସଂକଳ୍ପ ନେଇଥିଲେ । ବାପାଙ୍କ ପରେ ଝିଅ ବର୍ଷା ଆଜି ପଦ୍ମପୁରବାସୀଙ୍କ ଆଗରେ ଠିଆ ହୋଇଛନ୍ତି । ସମୟ ବଦଳିଛି, ପରିସ୍ଥିତି ବଦଳିଛି ହେଲେ ବଦଳିନି ସେବାର ସଂକଳ୍ପ । ବାପାଙ୍କ ଭଳି ତାଙ୍କୁ ବି ସମର୍ଥନ କରିବାକୁ କହିବା ବେଳେ ତାଙ୍କ ଆଖିରେ ଆସିଯାଉଛି ଲୁହର ବନ୍ୟା । ବାପାଙ୍କ ପରିବାର ଥିଲା ପଦ୍ମପୁର । ଏବେ ସେହି ପରିବାରର ବିକାଶ ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ଯାଉଛନ୍ତି ବର୍ଷା । ହେଲେ ପ୍ରଚାର ବେଳେ ନିଜ ଲୋକଙ୍କୁ ଦେଖିବା ପରେ ବାପାଙ୍କ କଥା ବେଶୀ ବେଶୀ ମନେ ପଡ଼ୁଛି । ରୋଡ୍‌ ଶୋ’ ହେଉ କି ସଭାସମିତି, ବାପାଙ୍କୁ ମନେ ପକାଇ ବର୍ଷା କାନ୍ଦି ପକାଉଛନ୍ତି । ଆଖିରୁ ଅବିରତ ଲୁହ ଝରୁଛି । ତାଙ୍କ ଦୁଃଖ ଦେଖି ସଭାରେ ବସିଥିବା ମା’ ମାଉସୀ ନିଜ ଲୁହ ରୋକି ପାରୁନାହାନ୍ତି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ‘ବର୍ଷା ଆମ ଝିଅ’ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂ ବରିହାଙ୍କ ନାଁ ଘୋଷଣା କରିବା ପରଠାରୁ ବର୍ଷାଙ୍କ ଆଖିରେ ଲୁହ । ବିଜେଡି ସମାବେଶ ହେଉ କି ନାମାଙ୍କନ ଦାଖଲ, ଡୋର ଟୁ ଡୋର କ୍ୟାମ୍ପେନିଂ ହେଉ କି ପ୍ରଚାର ସଭା, ଆଖି ଛଳଛଳ କରି ସେ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ତାଙ୍କର ନିଷ୍ପାପ ଆଖିରେ ପହଁରିଯାଉଛି ବାପାଙ୍କ ଛବି । ପାଇକମାଳ ବ୍ଲକ୍‌ରେ ଦେବରବହା ଶିବ ମନ୍ଦିରରେ ଦର୍ଶନ ପରେ ଆଜି ଲକ୍ଷ୍ଣଣା, ସରେଇକଳା, ବୈତାଳଭଟା, ସମ୍ବଲପୁରୀ ଓ ସୁକିଲିପାହାଡ ନିର୍ବାଚନୀ ସଭାରେ ସେ ଯୋଗଦେଇ ଲୋକଙ୍କଠାରୁ ଆଶୀର୍ବାଦ ମାଗୁଛନ୍ତି । ଗାଁ ଦାଣ୍ଡରେ ଘରକୁ ଘର ବୁଲିଲା ବେଳେ କିଏ ପାଦ ଧୋଇ ଦେଉଛି ତ ଆଉ କିଏ ବନ୍ଦାପନା କରି ପାଛୋଟି ନେଉଛି । ଲୋକଙ୍କ ଭଲ ପାଇବା ଦେଖି ଲୁହ ରୋକିପାରୁନାହାନ୍ତି ସେ । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏବେ ବର୍ଷାଙ୍କ ଜବରଦସ୍ତ କ୍ରେଜ୍‌ । ଲୋକଙ୍କୁ ଭାଷଣରେ ମାୟାଜାଲରେ ଛନ୍ଦି ପକାଇବାର ଅଭିପ୍ରାୟ ତାଙ୍କର ନାହିଁ କି ତଥାକଥିତ ରାଜନେତାର ମିଛ ଚେହେରା ନାହିଁ । ନିଜ ଦରଦୀ ମନକୁ ଜନସେବାରେ ଲଗାଇବାକୁ ଭରସା ଦେଉଛନ୍ତି ବର୍ଷା । ଆଉ ସେଇଥି ପାଇଁ ସମସ୍ତଙ୍କ ମନ ଜିଣିବାରେ ସେ ସମର୍ଥ ହେଉଛନ୍ତି । ଯୁବବର୍ଗ ବର୍ଷାଙ୍କୁ ପସନ୍ଦ କରୁଥିବା ବେଳେ ତାଙ୍କ ନମ୍ରତା ବରିଷ୍ଠଙ୍କୁ ତାଙ୍କ ଉପରେ ସ୍ନେହ ଅଜାଡିବାକୁ ବାଧ୍ୟ କରୁଛି ।

Leave A Reply

Your email address will not be published.