ନୌ-ପରିବହନ ପାଇଁ ନୂଆ ନୀତି ଓଡ଼ିଶା ହେବ ଦକ୍ଷିଣ-ପୂର୍ବ ଏସିଆର ଗେଟ୍‌ୱେ

0 88

ଭୁବନେଶ୍ୱର, ୨୦ା୧୧ (ଡିକେ ନ୍ୟୁଜ୍‌): ଆସିଲା ଓଡ଼ିଶା ବନ୍ଦର ନୀତି-୨୦୨୨ର ଗେଜେଟ୍‌ ବିଜ୍ଞପ୍ତି । ୪୮୦ କିମି. ତଟକୁ ବ୍ୟବହାର କରି କିପରି ନୌ-ପରିବହନ ସୁଗମ ହେବ ସେଥିନେଇ ପିପିଟି ମୋଡରେ ବାଣିଜ୍ୟିକ ବନ୍ଦରର ବିକାଶ କରାଯିବ । ମୋଟ ୧୪ଟି ଅଣପ୍ରମୁଖ ବନ୍ଦରର ବିକାଶ ଓ ପରିଚାଳନା ପାଇଁ ସ୍ୱତନ୍ତ୍ର ନୀତିରେ ବ୍ୟବସ୍ଥା କରାଯାଇଛି । ଧାମରା ଆଉ ଗୋପାଳପୁର ଏବେ ବି କାର୍ଯ୍ୟକ୍ଷମ ଅଛି । ସେହିପରି ବିଚିତ୍ରପୁର, ସୁବର୍ଣ୍ଣପୁର ମୁହାଣରେ କୀର୍ତ୍ତିନିଆ ବାହାବଳପୁର, ଚାନ୍ଦିପୁର, ଇଞ୍ଚୁଡି, ଚୂଡ଼ାମଣି, କେନ୍ଦ୍ରାପଡ଼ାର ମହାନନ୍ଦି ରି ବନ୍ଦରିଂ ବନ୍ଦର, ଜଟାଧାରୀ ମୁହାଣ, ଅସ୍ତରଙ୍ଗ, ବାଲିହରଚଣ୍ଡୀ, ବାଲୁର ଓ ସୋନପୁରର ବାହୁଡ଼ି ମୁହାଣର ବିକାଶ ହେବ । ଏସବୁ ବନ୍ଦରର ବିକାଶ ଓ ତଦାରଖ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ମେରାଇନ୍‌ ବୋର୍ଡ(ଓଏମ୍‌ବି) କରିବ । ଦକ୍ଷିଣ-ପୂର୍ବ ଏସିୟ ରାଷ୍ଟ୍ରମାନଙ୍କ ସହ ରପ୍ତାନି ଓ ଆମଦାନି କାରବାର ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ବନ୍ଦର ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରମୋଟର କରିବେ । ଏଥିରେ ଓଏମ୍‌ବି ସବୁ ସହାୟତା ଯୋଗାଇ ଦେବ । ବନ୍ଦର ପାଖରେ ମାଲ୍‌ ଷ୍ଟୋର କରିବା ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ ଲଜିଷ୍ଟିକ୍‌ ସେଲ୍‌ । ବନ୍ଦର କାରବାର ପାଇଁ ସରକାରଙ୍କ ରୟାଲିଟି ସମୟରୁ ସମୟ ବୋର୍ଡ ଧାର୍ଯ୍ୟ କରିବ । ଯଦି କ୍ୟାପଟେନ୍‌ ଜେଟି, ପର୍ଯ୍ୟଟନ ଜେଟି, ମେରିନା ସାମୁଦ୍ରିକ ବିମାନ ଅବତରଣ ସ୍ଥଳୀ ବିକାଶ କରୁଛି, ତା’ହେଲେ ସମ୍ପୃକ୍ତ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୧୦ବର୍ଷ ଓ ପରେ ଦୁଇଥର ୫ବର୍ଷ ଲେଖାଏ ରୟାଲିଟି ରିହାତି ଦିଆଯିବ । ପାଞ୍ଚବର୍ଷ କିମ୍ବା ନୂଆ ସଂଶୋଧିତ ନୀତି ନ ଆସିବା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦର ନୀତି-୨୦୨୨ କାର୍ଯ୍ୟକ୍ଷମ ରହିବ । କାର୍ଗୋ ପରିବହନ କରୁଥିବା ମାଲ୍‌ କିମ୍ବା ଯାତ୍ରୀଙ୍କ ଓଜନ ମେଟ୍ରିକ୍‌ ଟନ୍‌ ଆଧାରରେ ରୟାଲିଟି ଧାର୍ଯ୍ୟ କରାଯିବ । ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର କିମ୍ବା ସରକାରଙ୍କ ଦ୍ୱାରା ମନୋନୀତ ଏଜେନ୍ସି ରୟାଲିଟି ଧାର୍ଯ୍ୟ କରିବେ । ୬ରୁ ୧୦ବର୍ଷ ମଧ୍ୟରେ ରୟାଲିଟି ସହିତ ୫ପ୍ରତିଶତ ଅତିରିକ୍ତ ବର୍ହିଶୁଳ୍କ, ୧୧ରୁ ୧୫ବର୍ଷ ପାଇଁ ୩ ପ୍ରତିଶତ ଓ ୧୬ବର୍ଷରୁ ଅଧିକ ହେଲେ ରୟାଲିଟି ସହିତ ଦୁଇ ପ୍ରତିଶତ ହାରରେ ବର୍ହିଶୁଳ୍କ କାର୍ଗୋ କମ୍ପାନୀ ପ୍ରଦାନ କରିବ । ସ୍ୱତନ୍ତ୍ର ନୀତିରେ ବିଶ୍ୱସ୍ତରୀୟ ପର୍ଯ୍ୟଟନର ସୁବିଧା ଦେବାକୁ ଯାଇ ଗ୍ରୁପ୍‌ ଟୁରିଜିମ୍‌, ୱାଟର ସ୍ପୋର୍ଟ୍ସ ଓ ସି-ପ୍ଲେନ୍‌ ଚଳାଇବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.