ଚିନ୍ତା ବଢ଼ାଉଛି ଖାଦ୍ୟ ସଙ୍କଟ ଓ ଦରଦାମ୍‌ ବୃଦ୍ଧ

0 71

ୱାଶିଂଟନ୍‌, ୨୦ା୧୧(ଡିକେ ନ୍ୟୁଜ): ସମ୍ପ୍ରତି ସାରା ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି । ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି । ବିଗତ କିଛି ଦଶନ୍ଧି ଧରି ବିଶ୍ୱରେ ବ୍ୟାପକ ଅଭିବୃଦ୍ଧି ଘଟିଛି ଏବଂ ଆଗାମୀ ଦଶନ୍ଧିରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିବ । ଯେହେତୁ ଜନସଂଖ୍ୟା ଏବେ ୮୦୦ କୋଟି ଛୁଇଁବାକୁ ଯାଉଛି । ତେଣୁ ବିଶ୍ୱରେ ବର୍ତ୍ତମାନ ଖାଦ୍ୟ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ ବୋଲି ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁଯାୟୀ ଦୈନିକ ରାତିରେ ସାରା ବିଶ୍ୱରେ ପ୍ରାୟ ୮୨ କୋଟିରୁ ଅଧିକ ଲୋକ ଭୋକିଲା ରହିଥାନ୍ତି । ୨୦୧୯ଠାରୁ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୧୩.୫ କୋଟିରୁ ୩୪.୫ କୋଟିକୁ ବୃଦ୍ଧି ପାଇଛି । ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ୟୁଏନ୍‌ ସେକ୍ରେଟେରୀ ଜେନେରାଲ୍‌ ଆଣ୍ଟୋନିଓ ଗୁଟେରସ୍‌ ବିଶ୍ୱ ନେତାମାନଙ୍କୁ କହିଛନ୍ତି ଯେ ପାଞ୍ଚଟି ପୃଥକ ସ୍ଥାନରେ ଲୋକମାନେ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି । ୧୯୫୦ ଦଶକଠାରୁ ବିଶ୍ୱ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଳାଗିଛି, ଯାହା ୨୦୨୦ରେ ୧%ରୁ କମ୍‌ ହ୍ରାସ ପାଇଛି । ମିଳିତ ଜାତିସଂଘ ଦ୍ୱାରା କରାଯାଇଥିବା ସର୍ବଶେଷ ଆକଳନରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୫୦ କୋଟିରେ ପହଞ୍ଚିବ । ୨୦୫୦ ବେଳକୁ ଏହା ୯୭୦ କୋଟିରେ ପହଞ୍ଚିଯାଇଥିବ । ୨୦୮୦ ଦଶକ ବେଳକୁ ଏହା ପ୍ରାୟ ୧୦୪୦ କୋଟିରେ ପହଞ୍ôଚବ ବୋଲି ଆକଳନ କରାଯାଇଛି । ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ, ଜନସଂଖ୍ୟା ବିଭାଗ ଅନୁଯାୟୀ ଭାରତ ଆସନ୍ତାବର୍ଷ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଚାଇନାକୁ ଅତିକ୍ରମ କରିବ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ବାର୍ଷିକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପାଦନ ହୋଇଥାଏ । ଏହାର ପରିମାଣ ପାଖାପାଖି ୪ ବିଲିୟନ ଟନ୍‌ ହେବ, କିନ୍ତୁ ଏହି ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍‌ ୧.୩ ବିଲିୟନ ଟନ୍‌ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ନଷ୍ଟ ହୋଇଯାଇଥାଏ । ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠିର କହିବାନୁଯାୟୀ, ପୁଷ୍ଟିକର ଖାଦ୍ୟ ପାଉନଥିବା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏହା ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀ ହେବ । ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସମସ୍ୟା ବୃଦ୍ଧି ଘଟାଉଥିବା ଅନ୍ୟ ଦିଗଟି ହେଉଛି ଖାଦ୍ୟ ସାମଗ୍ରୀର ଅତ୍ୟଧିକ ମୂଲ୍ୟ । ଶସ୍ତା ଖାଦ୍ୟ ଖାଇବା ଦ୍ୱାରା ପୁଷ୍ଟିହୀନତା ବୃଦ୍ଧି ପାଇବ ଯାହା ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଧିକ କ୍ଷତିକାରକ । ସାଧାରଣତଃ ଖାଦ୍ୟ ମୂଲ୍ୟ ଅଧିକ ରହିଥିବାରୁ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ଭଳି ପୁଷ୍ଟିକର ଖାଦ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି । ଖାଦ୍ୟର ମୂଲ୍ୟ ବୃଦ୍ଧି ହେଲେ ପରିବାରମାନେ ଅଧିକ ପୁଷ୍ଟିକର ଖାଦ୍ୟ କିଣିବା ପରିବର୍ତ୍ତେ ଶସ୍ତା ମୁଖ୍ୟ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟକୁ କ୍ରୟ କରିଥାନ୍ତି, ଯାହା ଫଳରେ ପୁଷ୍ଟିଯୁକ୍ତ ଖାଦ୍ୟର ଗୁଣବତ୍ତା ହ୍ରାସ ପାଇବ । ଲାନସେଟ୍‌ ଗ୍ଲୋବାଲ୍‌ ହେଲଥ୍‌ର ଏକ ରିପୋର୍ଟ ଅନୁଯାୟୀ, ପୁଷ୍ଟିହୀନତା, ବିଶେଷକରି ପିଲାମାନଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହାକୁ ଲୁକ୍କାୟିତ କ୍ଷୁଧା କୁହାଯାଇଥାଏ । ରୁଷ-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ୱରେ ଖାଦ୍ୟ ସମାଗ୍ରୀ ମୂଲ୍ୟ ବଢ଼ିଯାଇଛି । ଉଭୟ ଦେଶ ଗହମ, ବାର୍ଲି, ମକା ଏବଂ ସୂର୍ଯ୍ୟମୁଖୀ ତେଲର ବିଶ୍ୱରେ ବୃହତ୍‌ ଯୋଗାଣକାରୀ ।

Leave A Reply

Your email address will not be published.