ବିକ୍ରି ଲାଗି ପ୍ରସ୍ତୁତ “ଦି ଅଶୋକା ହୋଟେଲ’

0 74

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ “ଦି ଅଶୋକା ହୋଟେଲ’ ଏବେ ବିକ୍ରି ଲାଗି ପ୍ରସ୍ତୁତ, ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ହୋଇଯାଇଛି । କେନ୍ଦ୍ରର
ମୋଦି ସରକାର ନ୍ୟାସନାଲ ମନିଟାଇଜ୍‌ ପାଇପଲାଇନ (ଏନଏମପି) ଯୋଜନାରେ ଦିଲ୍ଲୀର ଏହି ପ୍ରତିଷ୍ଠିତ ହୋଟେଲର ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ମସିହାରେ ଏନଏମପି ଯୋଜନା କରିଥିଲେ । ଏହି ଯୋଜନାରେ ଦି ଅଶୋକା ହୋଟେଲ ଓ ଏହା ନିକଟରେ
ଥିବା ହୋଟେଲ ସମ୍ରାଟ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ସମ୍ପତ୍ତି, ଯାହାକୁ ଏହି ଯୋଜନାରେ ସୂଚୀବଦ୍ଧ କରାଯାଇଛି । ଏ ନେଇ ନିବେଶକଙ୍କ ସହ ବିଚାରବିମର୍ଷ ମଧ୍ୟ ସରିଛି । ଏବେ ହୋଟେଲର ବିକ୍ରି ଲାଗି କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ଉପରେ ବିଚାର କରାଯାଉଛି । ରାଜଧାନୀ ଦିଲ୍ଲୀର ୨୫ ଏକର ଜମି ଉପରେ ଦି ଅଶୋକା ହୋଟେଲ ଛିଡା ହୋଇଛି । ଅଶୋକା ହୋଟେଲର ମୌଦ୍ରିକରଣ ଘରୋଇସାର୍ବଜନିକ ଭାଗିଦାରୀ (ପିପିପି) ମୋଡରେ କରାଯିବ । ଏଥିଲାଗି ସାଂକେତିକ ମୂଲ୍ୟ ୭ହଜାର ୪୦୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୨୦୨୧ରେ ଏନଏମପିର ଘୋଷଣା କରିଥିଲେ । ଏଥିରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୩୩,୪୨୨କୋଟି ଟଙ୍କାର ଆସେଟ୍‌ (ପରିସମ୍ପତ୍ତି)ର ମୌଦ୍ରିକରଣ କରିସାରିଲେଣି । ଚାଣକ୍ୟପୁରୀସ୍ଥିତ ଅଶୋକା ହୋଟେଲ ୭ ମହଲା ବିଶିଷ୍ଟ ଓ ଏଥିରେ ୫୫୦ଟି କୋଠରୀ ରହିଛି । ଭବ୍ୟ ଅଶୋକା ହୋଟେଲରେ ବିନା ପିଲରରେ ବିଶାଳ କନଭେନସନ ହଲ ରହିଛି । ଯାହା ଏହାର ଉକ୍ରୃଷ୍ଟ ନିର୍ମାଣ କାରିଗରୀର ନିଦର୍ଶନ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୋଟେଲକୁ ଜମ୍ମୁ-କାଶ୍ମୀର ରାଜ କୁମାର କରଣ ସିଂହଙ୍କ ଦ୍ୱାରା ଦାନରେ ପ୍ରଦତ୍ତ ୨୫ ଏକରର ପାର୍କ ଲ୍ୟାଣ୍ଡ ଉପରେ ନିର୍ମାଣ କରାଇଥିଲେ । ତକ୍ରାଳୀନ ପ୍ରଶିଦ୍ଧ ସ୍ଥପତି ଇ.ବି.ଡକ୍ଟରଙ୍କ ନେତୃତ୍ୱରେ ଅଶୋକା ହୋଟେଲର ନକ୍ସା ତିଆରି ହୋଇଥିଲା ।

Leave A Reply

Your email address will not be published.