ନିର୍ମଳାଙ୍କୁ ନବୀନଙ୍କ ଚିଠି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହଟ

0 67

ଭୁବନେଶ୍ୱର, ୨୬ା୧୧(ଡିକେ ନ୍ୟୁଜ): କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍‌ଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ ଆର୍ଥିକ ଦୂର୍ବଳ ଓ ଜନଜାତି ଶ୍ରେଣୀର । କେନ୍ଦୁପତ୍ର ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାଏ । କେନ୍ଦୁପତ୍ର ତୋଳି ତାକୁ ବିକ୍ରୀ କରିବା ସେମାନଙ୍କ ଜଙ୍ଗଲ ଅଧିକାର ଅନ୍ତର୍ଭୁକ୍ତ । ଏଭଳି ସ୍ଥିତିରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ସେମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରୁଛି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ୱାର୍କରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ପ୍ରତିଶତ ଜିଏସ୍‌ଟି କେନ୍ଦୁପତ୍ର ବ୍ୟବସାୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଜିଏସ୍‌ଟି ଦ୍ୱାରା ଅନେକ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହ ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ମଧ୍ୟ ପ୍ରଭାବିତ ହେଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜିଏସ୍‌ଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ କେନ୍ଦ୍ର କନ୍ଦାଉଥିବା ବେଳେ ତିନି ତିନିଥର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଦେବାକୁ ବ୍ୟବସ୍ଥା ହୋଇଛି । ଅନ୍ୟ ରାଜ୍ୟ ପାଇଁ ଏହି ନୀତି ମଡେଲ ପାଲଟିଛି । ହେଲେ କେନ୍ଦ୍ର ଏହି ସମସ୍ୟା ବିଷୟରେ ଅବଗତ ଥାଇ ବି ଅଣଦେଖା କରିବାକୁ ନେଇ ସବୁ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.