କାହିଁକି ଅଶାନ୍ତି ସୃଷ୍ଟି କରୁଛି ଚୀନ୍‌

0 52

ନୂଆଦିଲ୍ଲୀ, ୧୩ା୧୨: ଏଲଏସିରେ କାହିଁକି ଅଶାନ୍ତି ସୃଷ୍ଟି କରୁଛି ଚୀନ୍‌ ? ସାଧାରଣତଃ ହିମପାତ ସମୟରେ ସଂଘର୍ଷ ହୁଏ ନାହିଁ । ଅସମୟରେ କାହିଁକି ବାଉଳାଇ ହେଉଛି ବେଜିଂ ତାର ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ । ପ୍ରଥମ କାରଣ ହେଲା ଏଲଏସି ନିକଟରେ ଭାରତ-ଆମେରିକା ଯୁଦ୍ଧାଭ୍ୟାସ । କମ୍‌ ଦିନ ତଳେ ଏଲଏସି ନିକଟରେ ଭାରତ-ଆମେରିକା ମିଳିତ ସମରାଭ୍ୟାସ୍‌ କରିଥିଲେ । ଭାରତ-ଚୀନ୍‌ ସୀମା ନିକଟରେ ଯୁଦ୍ଧାଭ୍ୟାସ ଚାଲିଥିବାରୁ ଚୀନ୍‌ ଏହାକୁ ବିରୋଧ କରିଥିଲା । ୧୯୯୩, ୧୯୯୬ ଭାରତ-ଚୀନ୍‌ ବୁଝାମଣାର ଉଲ୍ଲଂଘନ ବୋଲି କହିଥିଲା ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ । ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଥିଲା । ଭାରତ ନିୟମ ଉଲ୍ଲଂଘନ କରିନାହିଁ, ବରଂ ଚୀନ୍‌ ନିଜେ ଏହି ଚୁକ୍ତିର ଉଲ୍ଲଂଘନ କରୁଛି । ଭାରତ ତା ଇଚ୍ଛାରେ ଯେକୌଣସି ଦେଶ ସହ ସମରାଭ୍ୟାସ କରିପାରେ । ଏହି ପ୍ରସଙ୍ଗରେ କୌଣସି ତୃତୀୟ ଦେଶକୁ ଭିଟୋ ଦେଇପାରିବନି ବୋଲି ଭାରତ କହିଥିଲା । ଭାରତର ଏହି ସମରାଭ୍ୟାସରେ ଭୟଭୀତ ଚୀନ୍‌ ଏଭଳି ବଦ୍‌ମାସି କରୁଥିବା ଅନୁମାନ କରାଯାଉଛି । ଦ୍ୱିତୀୟ କାରଣ ହେଲା ତୱାଙ୍ଗକୁ ଚୀନ୍‌ ସବୁବେଳେ ତିବ୍ଦତର ଅଂଶ ବୋଲି କହୁଛି । ଏହାକୁ କବ୍‌ଜା କରି ବୌଦ୍ଧବହୁଳ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଦଲାଇଲାମା । ଯାହାକୁ ନେଇ କ୍ଷୁବ୍ଧ ଅଛି ଚୀନ୍‌ । ତୱାଙ୍ଗରେ ରହିଛି ୪୦୦ ବର୍ଷ ପୁରାତନ ବୌଦ୍ଧ ମଠ । ଏଠାରେ ଷଷ୍ଠ ଦଲାଇଲାମାଙ୍କ ଜନ୍ମ । ୧୯୮୩ ପରଠାରୁ ଏଠାକୁ ସପ୍ତମ ଥର ଆସିଛନ୍ତି ବର୍ତ୍ତମାନର ଚତୁର୍ଦ୍ଦଶ ଦଲାଇଲାମା । ଶେଷଥର ୨୦୧୭ରେ ଏଠାକୁ ଆସିଥିଲେ । ସେତେବେଳେ ମଧ୍ୟ ଚୀନ୍‌ କଡ଼ା ଆପତ୍ତି ଉଠାଇଥିଲା । ଏହାଛଡ଼ା ବିଶ୍ୱରେ ଭାରତର ଦବ୍‌ଦବା ବୃଦ୍ଧି ପାଉଥିବା ଦେଖି ଚୀନ୍‌ ଭୟଭୀତ ହୋଇପଡ଼ିଛି । ନିକଟରେ ଜି-୨୦ ସମ୍ମିଳନୀରେ ଭାରତର ପ୍ରଭୂତ୍ୱ ଦେଖିବାକୁ ମିଳିଥିଲା । ଏବେ ଯୁଦ୍ଧର ସମୟ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତିକୁ ଗୁରୁତ୍ୱ ଦିଆଯାଇଥିଲା । ଏପରିକି ଜି-୨୦ ମିଳିତ ଘୋଷଣାରେ ସାମିଲ କରାଯାଇଥିଲା । ଭାରତ ଏବେ ଜି-୨୦ର ସଭାପତିତ୍ୱ କରୁଛି । ଯାହାକୁ ନେଇ ଇର୍ଷାନ୍ୱିତ ହୋଇପଡ଼ିଛି ଚୀନ୍‌ । ଆଉ ମଧ୍ୟ ଅନ୍ୟ ଏକ କାରଣ ନେଇ ଅନୁମାନ କରୁଛନ୍ତି ବିଶେଷଜ୍ଞ । ତାହା ହେଲା, ଚୀନ୍‌ ଭିତରେ ଏବେ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ । ଜିରୋ କୋଭିଡ୍‌ ନୀତିକୁ ଚୀନ୍‌ବାସୀ ଦୃଢ଼ତାର ସହ ପ୍ରତିବାଦ କରୁଛନ୍ତି । ଶ୍ରୀ ଜିନ୍‌ପିଙ୍ଗ ଆଗରୁ ତାଙ୍କ ଶାସନ କାଳରେ କେବେ ଏପରି ବିରୋଧର ସାମ୍‌ନା କରିନଥିଲେ । କଟକଣାକୁ ସାମାନ୍ୟ କୋହଳ କରିବା ପରେ ବି ଏହି ନିଅାଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଥମିନାହିଁ । ତେଣୁ ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ସୀମାରେ ପୁଣି ନାଟକ ଆରମ୍ଭ କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.