ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ବାହାନା ଦେଖାଇ ତଦନ୍ତକୁ କରୁଛନ୍ତି ବାଟବଣା

0 83

ଭୁବନେଶ୍ୱର, ୧୫ା୧୨ (ଡିକେ ନ୍ୟୁଜ୍‌): ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ନାଗ ବାହାନା ପରେ ବାହାନା ଦେଖାଇ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି । କେତେବେଳେ ଦେହ ଖରାପ ତ ଆଉ କେତେବେଳେ ଏକଦମ୍‌ ଚୁପ୍‌ । କିନ୍ତୁ ଜଗବନ୍ଧୁ ଗୁମର ଖୋଲିବାରେ ଲାଗିଛି । ଅର୍ଚ୍ଚନାଙ୍କ ପେଡି ଖୋଲୁଛନ୍ତି ତାଙ୍କ ସ୍ୱାମୀ । ଯାହାକୁ ନେଇ ଚିନ୍ତାରେ ଲେଡି ବ୍ଲାକ୍‌ମେଲର । ଭାବିଥିଲେ ଅଧିକାରୀଙ୍କୁ ଭୂଅାଁ ବୁଲାଇବେ । ହେଲେ ଏଥର ଆଉ ଖସି ପାରୁନାହାନ୍ତି । ଦ୍ୱିତୀୟ ଦିନରେ ସ୍ୱାମୀ ସ୍ତ୍ରୀଙ୍କୁ ମାରାଥନ ଜେରା କରିଥିଲେ ଇଡି ଅଧିକାରୀ । ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । କିନ୍ତୁ ଯାହା ଦେଖାଯାଇଥିଲା ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁନାହାନ୍ତି । ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ଅନ୍ୟ ବାଟ ନପାଇ ଦେହ ଖରାପର ବାହାନା କରିଚାଲିଛନ୍ତି । ତାଙ୍କର ମୁଣ୍ଡ ବୁଲାଇ ହେଉଛି କହିବା ପରେ ଡାକ୍ତରୀ ଟିମ୍‌ ତୁରନ୍ତ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ସ୍ୱାସ୍ଥ୍ୟ ଠିକ୍‌ ଥିବା ଇଡିକୁ ରିପୋର୍ଟ ଦେଇଥିଲେ ଡାକ୍ତର । ତଦନ୍ତରେ ସହଯୋଗ ନ କରିବାକୁ ଭଳିକି ଭଳି ବାହାନା କରୁଛନ୍ତି । ଏପରି କରି ଦିନ ଗଡ଼ାଇବାକୁ ଅର୍ଚ୍ଚନା ଚେଷ୍ଟା କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନାଙ୍କ ବାହାନା ପଛରେ କାରଣ କ’ଣ ? କାହିଁକି ସେ ସହଯୋଗ କରୁନାହାନ୍ତି ? ତାଙ୍କ ଉପରେ କିଛି ଅଦୃଶ୍ୟ ଚାପ ପଡ଼ୁଛି କି ? ଗଣମାଧ୍ୟମ ଆମରେ ଏତେ ଫଁ ଫଁ ହେଉଥିଲେ, ଏବେ ଚୁପ୍‌ କାହିଁକି ? ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଘନ ଘନ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ବୃତ୍ତି କଥା ପଚାରିଥିବା ବେଳେ ଆଜି ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ନେଇ ଖୋଳତାଡ଼ କରିଛି । ତାଙ୍କ ନାଁରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଓ କୌଣସି କମ୍ପାନୀ ରହିଛି କି ? ଯଦି ରହିଛି କେତେ ଟଙ୍କାର କାରବାର ହୋଇଛି । କେଉଁମାନେ ଟଙ୍କା ଦେଉଥିଲେ, ଦାମୀ ଗାଡ଼ି ଓ ଆଲିସାନ୍‌ ଘର ପାଇଁ କେଉଁଠୁ ଟଙ୍କା ଆଣିଲେ ? ଖଗେଶ୍ୱର ସହିତ ସମ୍ପର୍କ କେବେଠୁ ? ତା’ ସହିତ କି କାରବାର କରୁଥିଲେ, ଏଭଳି ଅନେକ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ ଅଧିକାରୀ । କିଛି ପ୍ରଶ୍ନର ଉତ୍ତର ଜଗବନ୍ଧୁ ସିଧା ସିଧା ଦେଇଥିବାବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଅମଙ୍ଗ ହୋଇଥିଲେ । ଆଉ କିଛି ପ୍ରଶ୍ନରେ ମଧ୍ୟ ହଡବଡେଇ ଯାଇଥିଲେ । ଏବେ ଇଡିରେ ଶ୍ରଦ୍ଧାଞ୍ଜଳିଙ୍କ ପାଳି ପଡ଼ିପାରେ । ଏଥିପାଇଁ ଯୋଜନା କରିଛି ଇଡି । ଅର୍ଚ୍ଚନା, ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କରି ସେମାନଙ୍କ ମୁହଁରୁ ସତ ଓଗାଳିବ ଇଡି ।

Leave A Reply

Your email address will not be published.