୨୦୨୪ ପାଇଁ ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ନବୀନ

0 78

ଭୁବନେଶ୍ୱର, ୧୬ା୧୨(ଡିକେ ନ୍ୟୁଜ): ୨୫ବର୍ଷରେ ବିଜେଡି । ଡିସେମ୍ବର ୨୬ରେ ୨୫ ପୂରି ୨୬ ଚାଲିବ । ୨୦୨୪ ପାଇଁ ପୁରୀରେ ଶଙ୍ଖ ଫୁଙ୍କିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ନିର୍ବାଚନ ପାଇଁ ଶ୍ରୀକ୍ଷେତ୍ରରୁ ଭିତ୍ତିଭୂମି ପକାଇବ ବିଜୁ ଜନତା ଦଳ । ଏଥର ବିଜେଡିର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପୁରୀରେ ପାଳନ କରିବା ପାଇଁ ବିଜେଡି ଯୋଜନା କରୁଛି । ସାରା ରାଜ୍ୟରୁ ଦଳର ପଦାଧିକାରୀ ଓ ନିର୍ବାଚିତ ପ୍ରତିନିଧି ଏଥିରେ ସାମିଲ ହେଲେ । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ “୨୪” ପାଇଁ ଗୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ପ୍ରତିଷ୍ଠା ଦିବସରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ । ପଦ୍ମପୁରରେ ବୃହତ୍‌ ବିଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଛି, ତାହାକୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ସୁପ୍ରିମୋଙ୍କ ନେତୃତ୍ୱରେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ପ୍ରତିଷ୍ଠା ଦିବସ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରେ ପାଳନ କରାଯିବ । ଏଥିରେ ବ୍ଲକ ଓ ପୌରାଞ୍ଚଳର ଦଳୀୟ କର୍ମୀମାନଙ୍କୁ ଡକାଯିବ । ପ୍ରାୟ ଏକଲକ୍ଷ କର୍ମୀଙ୍କ ସମାବେଶ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହିତ ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ବର୍ଷତମାମ ବ୍ଲକସ୍ତରରେ ବିଭିନ୍ନ ସମୟରେ ଭବ୍ୟ ଆକାରରେ ପାଳନ କରି ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ସହ ସାଧାରଣ ଲୋକଙ୍କ ସଙ୍ଗେ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତି ହୋଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେଡି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ସବୁ ବର୍ଗର ନେତାମାନଙ୍କୁ ଏକଜୁଟ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ଏନେଇ ନବୀନ
ନିବାସରେ ପ୍ରାରମ୍ଭିକ ବୈଠକ ହେବା ପରେ ଆଜି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ,ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହିଳା ୱିଙ୍ଗ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବ ଉପରେ ବି·ରବିମର୍ଶ ହୋଇଥିବା ବେଳେ ଏନେଇ ବିଧିବଦ୍ଧ ଭାବେ ସୁପ୍ରିମୋଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତା ୧୮ତାରିଖରେ ପୁଣିଥରେ ଏକ ବୈଠକ ବସି ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନିଜର ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଏ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି । ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣମୂଳକ
ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଇବା, ଜୀବନବିନ୍ଦୁ ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିରେ ଦିଲ୍ଲୀରେ ସମାବେଶ, ମହିଳା ଏସଏଚଜିକୁ ଅଧିକ ସକ୍ରିୟ କରି ଦଳ ସପକ୍ଷରେ ରଖିବା ଆଦି ସମେତ ବିଭିନ୍ନ ଅଞ୍ଚଳରେ ହେଉଥିବା ଜିଲ୍ଲା ମାନ୍ୟତା ଦାବି ଗ୍ରହଣ କରି ଶାସକ ବିଜେଡି ଆଗାମୀ ଦିନରେ ନିଜର ରାଜନୀତିକ ଗୋଟି·ଳନା କରିବ ବୋଲି ଜଣାପଡ଼ିଛି । ପଦ୍ମପୁରରେ ବୃହତ୍‌ ବିଜୟ ପରେ ୨୦୨୪କୁ ନେଇ ଦୁଇଟି ବଡ ଟାର୍ଗେଟ୍‌ ରଖିଛି ଦଳ । ପ୍ରଥମ ହେଲା-ବିଜୁ ଜନତା ଦଳ ସଭ୍ୟ ସଂଖ୍ୟା ଦେଢ଼ କୋଟିରେ ପହଞ୍ଚାଇବା, ଦ୍ୱିତୀୟଟି ଭୋଟ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା । ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାୟ ୪୩ ପ୍ରତିଶତ ଭୋଟ ଓ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୫୩ ପ୍ରତିଶତ ଭୋଟ ପାଇଥିଲା । ୨୦୨୪ରେ ଏହି ଭୋଟ ପ୍ରତିଶତକୁ କିପରି ବୃଦ୍ଧି କରାଯିବ ଏହି ଲକ୍ଷ୍ୟରେ ବିଜେଡି ରହିଛି ।

Leave A Reply

Your email address will not be published.