କୋଭିଡ୍‌ ମୃତ୍ୟୁର ଉପତ୍ୟକା ଚୀନ୍‌ ଶବଦାହ ପାଇଁ ଶ୍ମଶାନରେ ଲମ୍ବାଧାଡ

0 65

ବେଜିଂ, ୧୮ା୧୨: କରୋନାର ଶେଷ ଠିକଣା ଚୀନ୍‌ । ଯେଉଁଠି ଉତ୍ପନ୍ନ ହୋଇଥିଲା ଶେଷରେ ସେଇଠି କରୁଛି ଉତ୍ପାତ । ଜିରୋ କୋଭିଡ୍‌ ନୀତିରୁ ହଟିବା ପରେ ଚୀନ୍‌ରେ ସ୍ଥିତି ଅସମ୍ଭାଳ । ବେଜିଂରେ ଆରମ୍ଭ ହୋଇଛି ମଣିଷ ମଡ଼କ । ଏହାକୁ କୋଭିଡ୍‌ ମୃତ୍ୟୁର ନୂଆ ଉପତ୍ୟକା କହିଲେ ଅତ୍ୟୁକ୍ତି ହେବ ନାହିଁ । ବୁଧବାର ବେଜିଂର କେବଳ ଗୋଟିଏ ଶ୍ମଶାନରେ ୩୦ଟି ଶବଦାହ ହୋଇଛି । ବେଜିଂର ସବୁ ଶ୍ମଶାନ ଉଚ୍ଛୁଳୁଛି । ମୃତଦେହର ଧାଡ଼ି ଲାଗିଛି । ଶବଦାହ ପାଇଁ ୩ଦିନ ଯାଏ ଅପେକ୍ଷା କରିବାକୁ ପଡ଼ୁଛି । ଶ୍ମଶାନ କର୍ମଚାରୀ ବି କୋଭିଡ୍‌ ସଂକ୍ରମିତ । ଏଥିରୁ ଜଣାପଡ଼ୁଛି ଚୀନ୍‌ରେ କେତେ ଜୀବନ ନେଉଛି ମହାମାରୀ । ବେଜିଂରେ ସ୍ଥିତି ଅତି ଜଟିଳ । ପ୍ରବଳ ଥଣ୍ଡା ଯୋଗୁ ବେଜିଂରେ କରୋନା ଅଣାୟତ୍ତ ହୋଇପଡ଼ିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କିନ୍ତୁ ମୃତ୍ୟୁସଂଖ୍ୟା ଲୁଚାଉଛି ଡ୍ରାଗନ୍‌ । ଦୁଇ ସପ୍ତାହ ହେଲା ଚୀନ୍‌ର ସରକାରୀ ଖାତାରେ ଚଢ଼ିନି କୋଭିଡ୍‌ ମୃତ୍ୟୁ । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୪ରେ ହୋଇଥିଲା । ଚୀନ୍‌ରେ ଏହାର ଆରମ୍ଭ ମାତ୍ର । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା ଯେ, ଆହୁରି ଭୟାନକ ହେବ ସ୍ଥିତି । ହଂକଂ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁଯାୟୀ ଚୀନ୍‌ରେ ସଂକ୍ରମଣ ବଢ଼ିବା ସହ ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବାକୁ ବେଶୀ ସମୟ ଲାଗିବ ନାହିଁ । ସ୍ଥିତି ଏଭଳି ହେବ ଯେ, ପ୍ରତି ହଜାରେ ଜଣରେ ପ୍ରାୟ ୬୪୮ଜଣ ସଂକ୍ରମିତ ହେବେ । ୧୦ରୁ ୧୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୨୩ରେ ଚୀନ୍‌ରେ କରୋନାରେ ୧୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ନେଇ ଆକଳନ କରିଛି ଆମେରିକାର ଆଇଏଚ୍‌ଏମଇ ସଂସ୍ଥା । ଚୀନ୍‌ ଜନସଂଖ୍ୟାର ଏକତୃତୀୟାଂଶ କୋଭିଡ୍‌ ସଂକ୍ରମିତ ହେବେ । ଆସନ୍ତା ଏପ୍ରିଲ ୧ ତାରିଖ ସୁଦ୍ଧା ପ୍ରାୟ ୩ଲକ୍ଷ ୨୨ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବ ବୋଲି ଆଇଏଚ୍‌ଏମ୍‌ଇ ନିର୍ଦ୍ଦେଶକ ଭବିଷ୍ୟବାଣୀ କରିଛନ୍ତି । ଚୀନ୍‌ରେ ପ୍ରଥମରୁ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ୫ହଜାର ୬୩୫ ରହିଛି । ବିଶ୍ୱରେ ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ବେଧଡ଼କ ଥିଲା ଚୀନ୍‌ । ଜିରୋ କୋଭିଡ୍‌ ନୀତି ଯୋଗୁ ନିୟନ୍ତ୍ରଣରେ ଥିଲା ସଂକ୍ରମଣ । ମାସ୍କ ଟେଷ୍ଟିଂ ଓ କଠୋର କଟକଣା କରୋନାକୁ ବନ୍ଦୀ କରି ରଖିଥିଲା । ଏବେ ସାରା ବିଶ୍ୱ ମୁକ୍ତ ବିଚରଣ କଲା ପରେ ଚୀନ୍‌ର ଜନତା କଠୋର କୋଭିଡ୍‌ କଟକଣାକୁ ତୀବ୍ର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିଲେ । ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ବିରୋଧରେ ତେଜିଲା ସ୍ୱର । ଫଳରେ ବାଧ୍ୟ ହୋଇ ଜିରୋ କୋଭିଡ୍‌ ନୀତିରୁ ଓହରିଲା ଚୀନ୍‌ ସରକାର । ସପ୍ତାହେ ନ ପୁରୂଣୁ ସ୍ଥିତି ଅସମ୍ଭାଳ ହେଲା । ଭୟଙ୍କର ଭାବେ ଭାଇରସ୍‌ ପୂରା ଦେଶକୁ ମାଡି ଚାଲିଲା । ଲୋକେ କଟକଣାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ସ୍ଥିତି ୮ଦିନରେ ଓଲଟି ଯାଇଛି । ଏବେ ଛାଏଁ ଛାଏଁ ରାସ୍ତା ଖାଁ ଖାଁ ହୋଇଯାଇଛି । ସାଂଘାଇରେ ବି ସ୍ଥିତି ଅସମ୍ଭାଳ । ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ ।

Leave A Reply

Your email address will not be published.