ଆଇପିଏଲରେ ରେକର୍ଡ ୧୮.୫୦ କୋଟିରେ କିଣା ହେଲେ ସାମ କୁରାନ

0 76

କୋଚି, ୨୩ା୧୨: ଯାହା ଆଶା କରାଯାଉଥିଲା ସେଇଆ ହେଲା । ଟି୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି । ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି । ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ । ହେଲେ ଆଜି ସାମ କୁରାନ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ସାମ କୁରାନଙ୍କୁ ନେବା ପାଇଁ ଆଜି ଅକ୍ସନ ବେଳେ ସବୁ ଦଳର ପ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇଥିଲେ । ଶେଷରେ ରାଜସ୍ଥା ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଲେଇ ଆରମ୍ଭ ହୋଇଥିଲା । ପଞ୍ଜାବ ବିଡ୍‌ ଲଗାଉଥିବା ବେଳେ ରାଜସ୍ଥାନ ମଧ୍ୟ ପଛରେ ନଥିଲା । ହେଲେ ପଞ୍ଜାବ ୧୮.୫୦ କୋଟି ବିଡ୍‌ ଲଗାଇବାରୁ ରାଜସ୍ଥାନ ଲେଇରୁ ଓହରି ଯାଇଥିଲା । ଶେଷରେ ପଞ୍ଜାବ ସାମ କୁରାନଙ୍କୁ କିଣିବାକୁ ସକ୍ଷମ ହୋଇଛି । ସାମ କୁରାନ ୨୦୨୨ ଆଇପିଏଲରେ ଖେଳି ନଥିଲେ । ୨୦୨୧ରେ ସେ ଚେନ୍ନାଇ ସହ ରହିଥିଲେ । ଆହତ ସମସ୍ୟା ଯୋଗୁ ୨୦୨୨ ଆଇପିଏଲରୁ ବାଦ ପଡ଼ିଥିବା କୁରାନ ଇଂଲଣ୍ଡ ପାଇଁ ଟି୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଟି-୨୦ ବିଶ୍ୱକପରେ ସେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ସହ ସିରିଜ୍‌ ମଧ୍ୟ ମିଳିଥିଲା । ଇଂଲଣ୍ଡ ତାଙ୍କ ଦମ୍‌ରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା । ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାମ କୁରାନ ପଞ୍ଜାବ ପକ୍ଷରୁ ହିଁ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ । ସେତେବେଳେ ଦଳ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲା । ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ୨୦୨୦ ଅକ୍ସନ ପୂର୍ବରୁ ପଞ୍ଜାବ ତାଙ୍କୁ ରିଲିଜ କରି ଦେଇଥିଲେ । ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା । ୨ ବର୍ଷ କାଳ ସେ ଚେନ୍ନାଇ ପାଇଁ ଖେଳିଥିଲେ । ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପଞ୍ଜାବକୁ ପୁଣି ଫେରିଛନ୍ତି । ସାମ କୁରାନଙ୍କ ବ୍ୟତୀତ ପଞ୍ଜାବ ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରାଜାଙ୍କୁ ମଧ୍ୟ ବେସ୍‌ ପ୍ରାଇସ ୫୦ ଲକ୍ଷରେ କିଣିଛ । ଓଡେନ ସ୍ମିଥ ୫୦ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟନ୍ସ ପାଖକୁ ଯାଉଛନ୍ତି । ଜେସନ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ୫.୭୫ କୋଟିରେ କିଣିଛି ।

Leave A Reply

Your email address will not be published.