ବିଜେଡିର ୨୫ବର୍ଷର ଜୟଯାତ୍ରା

0 71

ଭୁବନେଶ୍ୱର, ୨୪ା୧୨ (ଡିକେ ନ୍ୟୁଜ୍‌): ୨୫ ପୂରି ୨୬ବର୍ଷରେ ପାଦ ଦେବ ବିଜେଡି । ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାବେଶ ପାଇଁ ବ୍ୟାପକ ଆୟୋଜନ କରାଯାଉଛି । ବିଜେଡିର ରୌପ୍ୟଜୟନ୍ତୀ ସମାରୋହରେ ସାମିଲ ହେବେ ୫୦ହଜାରରୁ ଊଦ୍ଧ୍ୱର୍କା ର୍ଯ୍ୟକର୍ତ୍ତା । ୨୦୨୪ ପାଇଁ ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ନବୀନ । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ‘୨୪’ ପାଇଁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ସାରା ରାଜ୍ୟରୁ ଦଳର ପଦାଧିକାରୀ ଓ ନିର୍ବାଚିତ ପ୍ରତିନିଧି ସାମିଲ ହେବେ । ୨୫ବର୍ଷ ଧରି ବିଜେଡି ସଫଳତାର ପାହାଚ ଚଢ଼ିଚାଲିଛି । ବିଜେଡିର ବିକଳ୍ପ ଆଜିଯାଏଁ ସୃଷ୍ଟି ହୋଇପାରିନାହିଁ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ୧୯୯୮ରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହୋଇଥିଲା । ୧୯୯୮-୯୯ ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ବିଜେଡି । ୨୦୦୦ରେ ସରକାରକୁ ଆସିଥିଲା ଏହି ମେଣ୍ଟ । ୨୦୦୯ରେ ବିଜେଡି ମେଣ୍ଟରୁ ଓହରିଯିବା ପରେ ପ୍ରତି ନିର୍ବାଚନ ଏକାକି ଲଢ଼ିଆସୁଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଛି ଦଳ । ଗୁଜରାଟ ପରେ ଦେଶର ବିଜେଡି ଦ୍ୱିତୀୟ ଦଳ ଭାବରେ ଓଡ଼ିଶାରେ ଲଗାତାର ସରକାରରେ ଅଛି । ଗୁଜରାଟରେ ସପ୍ତମଥର ସରକାର ଗଢ଼ିଛି ବିଜେପି । କିନ୍ତୁ ଗୁଜରାଟରେ ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ହୋଇଛି । ହେଲେ ଓଡ଼ିଶାରେ ନବୀନଙ୍କ ନେତୃତ୍ୱରେ ଲଗାତାର ୫ଥର ସରକାର ଗଢ଼ିଛି ବିଜୁ ଜନତା ଦଳ । ବର୍ତ୍ତମାନ ବିଜେଡି ଏକ ରାଜନୈତିକ ଦଳ ଭିତରେ ସୀମିତ ନାହିଁ, ବରଂ ଏକ ଆନ୍ଦୋଳନରେ ପରିଣତ ହୋଇଛି । ୨୦୨୪ ପାଇଁ ବିଜେଡି ପଦ୍ମପୁର ମଡେଲକୁ ଭରସା କରିଛି । ୨୦୧୯ ନିର୍ବାଚନରେ ୪୩ ପ୍ରତିଶତ ଓ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୫୩ ପ୍ରତିଶତ ଭୋଟ ପାଇଥିଲା ଦଳ । ଏବେ ବିଜେଡିରେ କୋଟିଏ ସଦସ୍ୟ ଅଛନ୍ତି । ଏହାକୁ ଦେଢ଼ କୋଟିରେ ପହଞ୍ଚାଇବା ସହ ୨୦୨୪ରେ ଭୋଟ ପ୍ରତିଶତ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି ବିଜେଡି ।

Leave A Reply

Your email address will not be published.