ଆଜି ବିଜେଡିର ପ୍ରତିଷ୍ଠା ଦିବସ ଶ୍ରୀକ୍ଷେତ୍ରରୁ ସେବା-ସମର୍ପଣ ସଂକଳ୍ପ

0 56

ଭୁବନେଶ୍ୱର, ୨୫ା୧୨(ଡିକେ ନ୍ୟୁଜ): ଶଙ୍ଖ କ୍ଷେତ୍ରରେ ନିନାଦିତ ହେବ ଶଙ୍ଖ । ଶ୍ରୀକ୍ଷେତ୍ରରେ ସେବା-ସମର୍ପଣର ସଂକଳ୍ପ । କାଲି ବିଜେଡି ପାଳିବ ୨୬ତମ ପ୍ରତିଷ୍ଠା ଦିବସ । ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ । ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ବାଛିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରି ଆସୁଛି ଦଳ । ସେଥିପାଇଁ ଥରେ ନୁହେଁ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ୧୯୯୯ ମସିହା ମହାବାତ୍ୟାର ବିଭୀଷିକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କ୍ଷମତାସୀନ ହୋଇଥିଲା । ସେହିଦିନ ଠାରୁ ଆଉ ପଛକୁ ଫେରିନି ଦଳ । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲ୍‌ଷ୍ଟୋନ୍‌କୁ ନେଇ ଏକ ୧୫ ମିନିଟ୍‌ର ଭିଡିଓ ପ୍ରଦର୍ଶନ କରାଯିବ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶାର ନେତୃତ୍ୱ ନେଇଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ନବୀନଙ୍କ ସ୍ୱଚ୍ଛ ଶାସନ ଲଗାତାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଛି । ଓଡିଶାବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦଳର ରୌପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରାଯିବ ସେଥିନେଇ ଦଳୀୟ ସଭାପତି ଗୁରୁମନ୍ତ୍ର ଦେବେ । ବିଜୁ ଜନତା ଦଳର ସମକକ୍ଷ ପ୍ରତିଦ୍ୱନ୍ଦ୍ୱୀ କେହିନାହାଁନ୍ତି । ରାଜ୍ୟବାସୀଙ୍କ ସେବା ପାଇଁ ବିଜେଡି ନିଜ ଭିତରେ ପ୍ରତିଯୋଗିତା କରୁଛି । ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ କିପରି ଆହୁରି ବଳିଷ୍ଠ ହେବ ସେଥିନେଇ ପ୍ରତିଷ୍ଠା ଦିବସରେ ନିଆଯିବ ସଂକଳ୍ପ । ପୁରୀ ତାଳବଣିଆରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଷ୍ଠା ଦିବସରେ ଦଳର ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀଙ୍କୁ ମିଶାଇ ୪୦ରୁ ୫୦ ହଜାର ଲୋକଙ୍କ ସମାଗମ ହେବ । ୧୫ଦିନ ଧରି ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ସେବାବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ନେତା ଓ କର୍ମୀ । ଏଥିସହିତ ବର୍ଷ ତମାମ ରାଜ୍ୟର ସବୁ ଜିଲ୍ଲା, ବ୍ଲକ୍‌ରେ ପାଳନ ହେବ ଦଳର ୨୫ବର୍ଷ ପୂର୍ତ୍ତି ଉତ୍ସବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜର ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ, ୧୦୦ରୁ ଅଧିକ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ମୋବିଲାଇଜେସନ୍‌ ଉପରେ ଧ୍ୟାନ ଦିଆଯାଇଛି । ଅନ୍ୟ ସମସ୍ତ ଆଇନ୍‌ଶୃଙ୍ଖଳା ଦିଗ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ପୁରୀ ଏସ୍‌ପି ।

Leave A Reply

Your email address will not be published.