ଚୀନ୍‌ରେ କରୋନା ସୁନାମୀ

0 77

ବେଜିଂ: ଚୀନ୍‌ରେ କରୋନା ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗୋଟିଏ ପଟେ ଦୈନିକ ସଂକ୍ରମଣ ଲକ୍ଷାଧିକ ରହୁଥିବା ବେଳେ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ସୁବିଧାର ଅଭାବ ଚିନ୍ତାର କାରଣ ପାଲଟିଛି । ବେଜିଂ ସହ ଚୀନ୍‌ର ଅନେକ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଶଯ୍ୟା ଅଭାବ ପରିଲକ୍ଷିତ ହେଉଛି । ସାଧାରଣ ଶଯ୍ୟା ଅଭାବ ସାଙ୍ଗକୁ ଆଇସିୟୁରେ ଜାଗା ନ ଥିବାରୁ ଅନେକ ଗୁରୁତର ରୋଗୀ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି । ବହୁସଂଖ୍ୟକ କରୋନା ସଂକ୍ରମିତଙ୍କୁ ସେମାନଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ନେଇ ଆସୁଥିବା ବେଳେ ଶଯ୍ୟାଟିଏ ଖୋଜିବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡୁଛି । ଶଯ୍ୟା ମିଳୁନଥିବାରୁ
ଅନେକ ରୋଗୀ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନ୍ୟ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳି ପାରୁନାହିଁ । ଅନେକ ସଂକ୍ରମିତଙ୍କ ସମ୍ପର୍କୀୟ ଶଯ୍ୟାଟିଏ ପାଇବାକୁ ଏକାଧିକ ଡାକ୍ତରଖାନାକୁ ଯାଉଥିଲେ ମଧ୍ୟ ସେମାନଙ୍କୁ ଶଯ୍ୟା ମିଳି ପାରୁ ନାହିଁ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଚୀନ୍‌ରେ କରୋନା କଟକଣା ଉଠାଇ ନିଆଯିବା ପରେ ସେଠାକାର ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଚୀନ୍‌ବାସୀଙ୍କୁ ଯେଉଁ କରୋନା ଟିକା ଦିଆଯାଇଛି ତାହା ପ୍ରଭାବଶାଳୀ ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚୀନ୍‌ରେ ବର୍ତ୍ତମାନ ଯାହା ସ୍ଥିତି ରହିଛି ତାହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ବେଳକୁ କରୋନାରେ ମୃତକଙ୍କ ସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ଆଶଙ୍କା କରାଯାଉଛି । ଚୀନ୍‌ ସରକାର କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଲୁଚାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅସନ୍ତୋଷ ବ୍ୟକ୍‌ତ କରାଯାଇଛି । କରୋନା ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆମ୍ୱୁଲାନ୍ସ ଦିନରାତି ଅବିରାମ ସଂକ୍ରମିତଙ୍କୁ ଡାକ୍ତରଖାନା ଆଣିବା କାମରେ ନିୟୋଜିତ ହୋଇଥିବା ବେଳେ ଡାକ୍ତର, ନର୍ସମାନଙ୍କୁ ଦିନର ୧୮ ଘଣ୍ଟା କାମ କରିବାକୁ ପଡୁଛି । ଏଥିସହ ବିଭିନ୍ନ ଡକ୍ତରଖାନାରେ ଅମ୍ଳଜାନର ଅଭାବ ସ୍ଥିତିକୁ ଅଧିକ ସଙ୍ଗିନ କରି ଦେଇଛି । ସଂକ୍ରମଣ ବୃଦ୍ଧି ସହ ତାଳଦେଇ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଶହଶହ ଲୋକଙ୍କ କରୋନାରେ ଜୀବନ ଯାଉଥିବା ବେଳେ ଶଶ୍ମାନରେ ଭିଡ଼ ଜମି ରହୁଛି । ଚୀନ୍‌ରେ ପରିସ୍ଥିତି ଖରାପ ଥିବା ବେଳେ ଆଗାମୀ ଦିନରେ କିଭଳି ଅବସ୍ଥା ସୃଷ୍ଟି ହେବ ତାହାକୁ ନେଇ ଆଶଙ୍କାରେ ରହିଛନ୍ତି ଅଧିକାଂଶ ଚୀନ୍‌ବାସୀ ।

Leave A Reply

Your email address will not be published.