ତାଇପେଇ : ତାଇୱାନ୍କୁ ବାରମ୍ବାର ନାଲି ଆଖି ଦେଖାଇ ଆସୁଥିବା ଚୀନ୍ ଏବେ ଆଉ ଏକ କାରନାମା କରିଛି । ତାଇୱାନ ଭିତରେ ପଶି ଏହା ସବୁଠୁ ବଡ଼ ଯୁଦ୍ଧାଭ୍ୟାସ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଚୀନ୍ ଏଥର ଏହାର ୭୧ଟି ଯୁଦ୍ଧ ବିମାନ, ୭ ଜାହାଜ ଏବଂ ୪୭ ୱାରପ୍ଲେନ୍ ଦ୍ୱାରା ସମରାଭ୍ୟାସ କରିଛି । ଡ୍ରାଗନ୍ର ଏହା ସବୁଠୁ ବଡ଼ ଅନୁପ୍ରବେଶ ଯୁଦ୍ଧାଭ୍ୟାସ ବୋଲି ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନ୍ ସେନା ମଧ୍ୟ ଏହି ସମରାଭ୍ୟାସ ବାବଦରେ ସ୍ପଷ୍ଟ କରିଛି । ଏହା
କହିଛି ଯେ ଆମେରିକା ବାରମ୍ବାର ତାଇୱାନ୍ର ସାଥ୍ ଦେଇ ଆମ ସହ ଖୁରି ଖାଉଛି । ତେଣୁ ଉଭୟ ଆମେରିକା ଏବଂ ତାଇୱାନ୍କୁ ଜବାବ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ତେବେ ସଦ୍ୟ ଘଟଣାରେ ଆମେରିକା କି ପ୍ରକାର ଉସୁକାଇବା ଭଳି କାର୍ଯ୍ୟ କରିଥିଲା, ସେ ନେଇ ଚୀନ୍ କିଛି କହିନାହିଁ । ଦେଶର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ ମୁତାବକ ଆମେରିକା ନିଜ ପ୍ରତିରକ୍ଷା ବଜେଟରେ ତାଇୱାନ୍ ପାଇଁ ୮୨ ହଜାର କୋଟି ଟଙ୍କାର ପ୍ୟାକେଜ୍ ସାମିଲ କରିଛି । ଏହି ଅର୍ଥ ସହାୟତା ଆକାରରେ ପ୍ରଦାନ କରାଯିବ । ଆମେରିକାର ଏହି ହରକତକୁ ଆଦୌ ବରଦାସ୍ତ ନ କରିବାକୁ ଚୀନ୍ ନିଷ୍ପତ୍ତି ନେଇଛି । ତାଇୱାନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଚୀନ୍ ଯେଉଁ ବିମାନ ଦ୍ୱାରା ଯୁଦ୍ଧାଭ୍ୟାସ କରିଛି, ସେଥିରେ ୬ଟି ଏସ୍ୟୁ-୩୦ ଯୁଦ୍ଧ ବିମାନ, ପରମାଣୁ ଆକ୍ରମଣ ପାଇଁ ମାହିର ଏଚ୍-୬ ବୋମାବର୍ଷୀ ଏବଂ ଡ୍ରୋନ୍ ବି ସାମିଲ ରହିଛି । ତାଇୱାନ୍ର ବାୟୁମାର୍ଗରେ ଚୀନ୍ ନିଜ ଯୁଦ୍ଧ ବିମାନକୁ ୪୭ ଥର ଅନୁପ୍ରବେଶ କରାଇଥିଲା । ସେହିଭଳି ଅଲ୍ଜଜିରା ମୁତାବକ ଏହି ଯୁଦ୍ଧାଭ୍ୟାସ ପରେ ତାଇୱାନ୍ ଏକ ବିବୃତିରେ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ଚୀନ୍ ଚେଷ୍ଟା କରୁଛି । ତାଇୱାନ୍ର ଲୋକମାନଙ୍କୁ ଡରାଇବା ପାଇଁ ଉଦ୍ୟମ କରାଯାଉଛି । ଏଏଫ୍ପି ରିପୋର୍ଟ ମୁତାବକ ତାଇୱାନ୍ ଲଗାତର ଭାବେ ଚୀନ୍ର ଏଭଳି ଅନୁପ୍ରବେଶକୁ ନେଇ ପ୍ରମାଦ ଗଣିବାରେ ଲାଗିଛି । ଦେଶର ବିଦେଶ ମନ୍ତ୍ରୀ ଜୋସେଫ ୱୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଚୀନ୍ ଏବେ ତାଇୱାନ୍ ମଧ୍ୟରେ ଅନୁପ୍ରବେଶ ପାଇଁ ବାହାନା ଖୋଜୁଛି । ଆମେରିକା ଉପରେ ଦୋଷ ଦେଇ ଏହା ବାରମ୍ୱାର ତାଇୱାନ୍କୁ ଟାର୍ଗେଟ୍ କରୁଛି । ଡିସେମ୍ବର ୯ ତାରିଖରେ ଭାରତର ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ପରେ ଡ୍ରାଗନ୍ ସେନା ତାଇୱାନ୍ରେ ନିଜ ଶକ୍ତି ପ୍ରଦର୍ଶନ କରିଛି । ନିଜ ବିସ୍ତାରବାଦୀ ନୀତିକୁ ଜାବୁଡ଼ି ଧରିଥିବା ଚୀନ୍ ଏଭଳି ହରକତ ପଡେ଼ାଶୀ ଦେଶଗୁଡ଼ିକରେ ଚଳାଇ ଆସିବା ସାଧାରଣ ଘଟଣାରେ ପରିଣତ ହେଲାଣି । ତେବେ ଭାରତରେ ଅନୁପ୍ରବେଶ ଉଦ୍ୟମ କରି ଏହାର ସୈନ୍ୟମାନେ ସାଙ୍ଘାତିକ ମାଡ଼ ଖାଇଥିଲେ ।
ତାଇୱାନ୍ରେ ପଶି ଚୀନ୍ର ଯୁଦ୍ଧାଭ୍ୟାସ
Prev Post
Next Post