ଅନୁଗୁଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ମିଶନ ଶକ୍ତି ମା’ଙ୍କ ସଫଳତା ଆନନ୍ଦ ଦେଉଛ

0 74

ଭୁବନେଶ୍ୱର, ୨୯ା୧୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି । ଏହାସହିତ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ଏହି ପ୍ରକଳ୍ପ ଦୁଇଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇସାରିଛି ବୋଲି କହିଥିଲେ । ଏହାଦ୍ୱାରା ଜିଲ୍ଲାର ୪୮ଟି ପଞ୍ଚାୟତର ଲୋକ ପାନୀୟ ଜଳ ପାଇପାରିବେ । ଅନୁଗୁଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ସଂଗ୍ରାମୀ ନେତାମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିଥିଲେ । ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳରେ ଶିଳ୍ପ ପ୍ରତିଷ୍ଠା ସହିତ ନିଯୁକ୍ତିର ସୁଯୋଗ ବଢୁଛି । ଚଳିତ ମେକ୍‌-ଇନ୍‌-ଓଡିଶାରେ ରାଜ୍ୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅନୁଗୁଳରେ ଆଜିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ବିକାଶଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅନୁଗୁଳର ମିଶନ ଶକ୍ତି ମାଆମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଜିଲ୍ଲାର ୭୩୭୨ ମିଶନ ଶକ୍ତି ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ୱାରା ଉପକୃତ ହେବେ । ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିଦିନ ମିଶନ ଶକ୍ତିର ମାଆମାନେ ତାଙ୍କୁ ଭେଟୁଛନ୍ତି ଓ ତାଙ୍କ ସଫଳତାର କାହାଣୀ କହୁଛନ୍ତି । ଏହା ତାଙ୍କୁ ଖୁବ୍‌ ଆନନ୍ଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମାଆମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ·ହାଁନ୍ତି ବୋଲି ପ୍ରକାଶ କରି ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି, ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୁଳ ଷ୍ଟାଡିୟମ୍‌ରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହାପରେ ରେଲୱେ ଷ୍ଟେସନ ଯାଇ ସେଠାରେ ସମ୍ବଲପୁରଶାଲିମାର-ସମ୍ବଲପୁର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ହୋକୋ ସେଡ୍‌ ସାଇଡିଂ ଯାଇ ସେଠାରେ ନୂଆ ଏମସିଆରଏଲ ରେଲ ଲାଇନ ଉଦ୍‌ଘାଟନ କରିବା ସହିତ ଅନୁଗୁଳ-ବଳରାମ ଲିଙ୍କ ଗୁଡ୍ସ ଟ୍ରେନର ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.